ପ୍ରଶାସନିକ ବ୍ୟବସ୍ଥାରେ ହ୍ଵାଟ୍ସଆପ୍ ବ୍ୟବହାର କରିବାରେ ଦେଶର ତୃତୀୟ ରାଜ୍ୟ ହେଲା ଓଡ଼ିଶା

223

ଭୁବନେଶ୍ୱର: ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଶୁକ୍ରବାର ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ ର ଶୁଭାରମ୍ଭ କରିଛନ୍ତି, ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟ କ୍ରମେ ସମସ୍ତ ସରକାରୀ ସେବା  ପ୍ରଦାନ କରିବ। ଏହି ଚାଟ୍‌ବଟ୍‌  ଜରିଆରେ ନାଗରିକମାନେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ  ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପାଇପାରିବେ। ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଜି. ମାଥିଭାଥାନନ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ବତନ ସୂଚନା କମିଶନର ତଥା ସିୱାଇଏସଡିର ପରାମର୍ଶଦାତା ଶ୍ରୀ ଜଗଦାନନ୍ଦଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ),  ମେଟା ଇଣ୍ଡିଆ ସହ ବୁଝାମଣାପତ୍ରରେ  ସ୍ୱାକ୍ଷର କରିଛନ୍ତି । ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌  ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ୱାଟ୍ସଆପ୍ ନମ୍ବରରେ ସମନ୍ୱିତ କରିବ, ଯାହା ଦ୍ୱାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ। ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ପ୍ରତ୍ୟେକ ନାଗରିକଙ୍କୁ  ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଆମର ପୁଞ୍ଜିନିବେଶ ଦ୍ୱାରା ଏହି ବ୍ୟବସ୍ଥା ସହଜ ହୋଇଛି। ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି  ଜନସାଧାରଣଙ୍କୁ  ଉଦ୍ଦିଷ୍ଟ ସେବାର  ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ରାଜ୍ୟରେ ଓଡ଼ିଶା ଲୋକସେବା ଅଧିକାର ଆଇନ (ଓଆରଟିପିଏସଏ)କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବଳ  ସହାୟକ ସଂସ୍ଥା ଭାବେ  ସିଏମଜିଆଇ ଏବଂ ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ (ସିୱାଇଏସଡି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।  ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନାଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ସିଏମଜିଆଇ, ସିୱାଇଏସଡି ଏବଂ ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀ ମଧ୍ୟରେ, ଓଡ଼ିଶା ଲୋକସେବା ଅଧିକାର ଆଇନ କାର୍ଯ୍ୟକାରିତା ସଂପର୍କିତ ଅଭିଯାନ ଏବଂ ସଚେତନତା ପାଇଁ ଏନଏସଏସ ଛାତ୍ର ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରିବା ଦିଗରେ ସିଏମଜିଆଇ, ସିୱାଇଏସଡି,  ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ଏବଂ ପଂଚାୟତିରାଜ ନିର୍ବାଚିତ ସଦସ୍ୟ  ଏବଂ ଗୋଷ୍ଠୀ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି  ପାଇଁ  ସିଏମଜିଆଇ, ସିୱାଇଏସଡି ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବଙ୍କ ଅନୁ ଶାସନ ସଚିବ ଶ୍ରୀ ଅଂଶୁମାନ ରଥ ଏବଂ ସିଏମଜିଆଇର ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତି ସଂଯୋଜନା କରିଥିଲେ।

Comments are closed, but trackbacks and pingbacks are open.