ଦୁବାଇ : ବିରାଟ କୋହଲିଙ୍କ ଚମତ୍କାର ଇନିଂସ୍ ଦମ୍ରେ ଅଷ୍ଟ୍ରେଲିଆକୁ ୪ ୱିକେଟ୍ରେ ହରାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ୍ରେ ପ୍ରବେଶ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ୨୦୨୩ ବିଶ୍ୱ କପ୍ ଫାଇନାଲ୍ରେ ମିଳିଥିବା ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି। ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟ୍ରେ ଅଜେୟ ରହି ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ସେହିପରି ଭାରତ ଲଗାତାର ତିନିଥର ସୀମିତ ଓଭର୍ ଫର୍ମାଟ୍ରେ ଆଇସିସି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମୁକାବିଲାରେ ସ୍ଥାନ ହାସଲରେ ସଫଳତା ହୋଇଛି। ଏହା ପୂର୍ବରୁ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍, ୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ସ୍ଥାନ ହାସଲ କରିଥିଲ। ମଙ୍ଗଳବାର ଦୁବାଇ ଇଣ୍ଟରନାସ୍ନାଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ୪୯.୩ ଓଭର୍ରେ ୨୬୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଲକ୍ଷ୍ୟର ପିଛା କରୁଥିବା କୋହଲି ପୁଣିଥରେ ଚେଜ୍ ମାଷ୍ଟର୍ ସାବ୍ୟସ୍ତ ହେବା ସହ ୯୮ ବଲ୍ରେ ୫ ଚୌକା ସହାୟତାରେ ୮୪ ରନ୍ କରିଥିଲେ। ତାଙ୍କର ଏହି ଇନିଂସ୍ତ ବଳରେ ଭାରତ ୪୮.୧ ଓଭର୍ରେ ୬ ୱିକେଟ୍ ବିନିମୟରେ ୨୬୭ ରନ୍ କରି ମ୍ୟାଚ୍ ଜିତିନେଇଛି। ଭାରତ ଫାଇନାଲ୍ ମ୍ୟାଚ୍ରେ ଦ୍ୱିତୀୟ ସେମିଫାଇନାଲ୍ର ବିଜେତା ଟିମ୍କୁ ଭେଟିବ। ଦ୍ୱିତୀୟ ସେମିଫାଇନାଲ୍ ମାର୍ଚ୍ଚ ୫ ତାରିଖରେ ନ୍ୟୁଜିଲାଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଲାହୋର ଗଦ୍ଦାଫି ଷ୍ଟାଡିୟମ୍ରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆର ଆରମ୍ଭ ବହୁତ ଖରାପ ଥିଲା। ଟିମ୍ ୪୩ ରନ୍ର ସ୍କୋର୍ରେ ୨ଟି ୱିକେଟ୍ ହରାଇଥିଲା। ଶୁଭମନ ଗିଲ୍ ୮ ଏବଂ କ୍ୟାପ୍ଟେନ୍ ରୋହିତ ଶର୍ମା ୨୮ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଶ୍ରେୟସ୍ ଆୟର୍ଙ୍କ ସହ ବିରାଟ କୋହଲି ଇନିଂସ୍ ସମ୍ଭାଳି ୧୧୧ ବଲ୍ରେ ୯୧ ରନ୍ର ଭାଗୀଦାରି କରିଥିଲେ। ୧୩୪ ରନ୍ର ସ୍କୋର୍ ଟିମ୍ର ତୃତୀୟ ଝଟ୍କା ଲାଗିଥିଲା। ଶ୍ରେୟସ୍ ଆୟର୍ ୬୨ ବଲ୍ରେ ୩ ଚୌକା ସହାୟତାରେ ୪୫ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଇତିମଧ୍ୟରେ କୋହଲି ୫୪ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଶ୍ରେୟସ୍ଙ୍କ ଆଉଟ୍ ପରେ କୋହଲି ନଂ.୫ରେ ବ୍ୟାଟିଂ ପାଇଁ ଆସିଥିବା ଅକ୍ଷର ପଟେଲ୍ଙ୍କ ସହ ଇନିଂସ୍ ସମ୍ଭାଳି ଚତୁର୍ଥ ୱିକେଟ୍ ପାଇଁ ୫୨ ବଲ୍ରେ ୪୪ ରନ୍ ଯୋଡ଼ିଥିଲେ। ଅକ୍ଷର ୨୭ ରନ୍ କରି ନାଥନ୍ ଏଲିସ୍ଙ୍କ ଦ୍ୱାରା ବୋଲ୍ଡ ଆଉଟ୍ ହୋଇଥିଲେ। ଏହାପରେ କେଏଲ୍ ରାହୁଲଙ୍କ ସହ କୋହଲି ୪୭ ରନ୍ର ଭାଗୀଦାରି କରିଥିଲେ। ତେବେ ୯୮ ବଲ୍ରେ ୫ ଚୌକା ସହାୟତାରେ ୮୪ ରନ୍ କରିଥିବା ବେଳେ ଆଦମ୍ ଜାମ୍ପାଙ୍କ ବଲ୍ରେ କୋହଲି କ୍ୟାଚ୍ ଆଉଟ୍ ଫେରିଥିଲେ। ସେତେବେଳକୁ ଟିମ୍ର ସ୍କୋର୍ ୨୨୫ ରନ୍ ହୋଇଥିଲା। କୋହଲିଙ୍କ ଆଉଟ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇଥିଲେ। ବିଜୟ ପାଇଁ ୬ ରନ୍ର ଆବଶ୍ୟକ ଥିବାବେଳେ ବଡ଼ ଶଟ୍ ଖେଳିବାକୁ ଯାଇ ପାଣ୍ଡ୍ୟା ଗ୍ଲେନ୍ ମାକ୍ସୱେଲ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇ ଫେରିଥିଲେ। ହାର୍ଦ୍ଦିକ ୨୪ ବଲ୍ରେ ଏକ ଚୌକା ଓ ୩ ଛକା ସହାୟତାରେ ୨୮ ରନ୍ କରିଥିଲେ। ହାର୍ଦ୍ଦିକ ଆଉଟ୍ ପରେ ମାକ୍ସୱେଲ୍ଙ୍କ ବଲ୍ରେ ଛକା ମାରି କେଏଲ୍ ରାହୁଲ ଟିମ୍କୁ ଜିତାଇା ସହିତ ଫାଇନାଲ୍ରେ ପହଞ୍ଚାଇଥିଲେ। ରାହୁଲ ୩୪ ବଲ୍ରେ ଦୁଇଟି ଚୌକା ଓ ଦୁଇଟି ଛକା ସହାୟତାରେ ୪୨ ରନ୍ କରି ରବୀନ୍ଦ୍ର ଜାଡ଼େଜା (୨)ଙ୍କ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଏଲିସ୍ ଓ ଆଦାମ୍ ଜାମ୍ପା ୨-୨ ୱିକେଟ୍ ନେଇଥିବା ବେଳେ ବେନ୍ ଡ୍ୱାର୍ଶୁଇସ୍ ଓ କୁପର୍ କୋନୋଲିଙ୍କୁ ୧-୧ ସଫଳତା ମିଳିଥିଲା। ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ୪୯.୩ ଓଭର୍ରେ ୨୬୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଟିମ୍ ପକ୍ଷରୁ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୭୩ ରନ୍ କରିଥିଲେ। ଆଲେକ୍ସ କେରୀ ୬୧ ରନ୍ର ଇନିଂସ୍ ଖେଳିଥିବା ବେଳେ ଟ୍ରାଭିସ୍ ହେଡ୍ ୩୯ ଓ ମାର୍ନସ୍ ଲାବୁଶେନ୍ ୨୯ ରନ୍ କରିଥିଲେ। ଗୋଟିଏ ସମୟରେ କଙ୍ଗାରୁ ଟିମ୍ ବଡ଼ ସ୍କୋର୍ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଥିଲା। ମାତ୍ର ଭାରତୀୟ ବୋଲର୍ ଏହା ହେବାକୁ ଦେଇନଥିଲେ। ମହମ୍ମଦ ଶମୀ ୪୮ ରନ୍ ବ୍ୟୟରେ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜାଡ଼େଜା ୨-୨ ସଫଳତା ହାସଲ କରିଥିବା ବେଳେ ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧-୧ ୱିକେଟ୍ ମିଳିଥିଲା।
Comments are closed, but trackbacks and pingbacks are open.