ସମ୍ବଲପୁର ଜିଲ୍ଲାରେ ଥିବା ଅନଗ୍ରସର ପିଲାଙ୍କ ଯତ୍ନ ନେବା – ଧର୍ମେନ୍ଦ୍ର ପ୍ରଧାନ

54

ସମ୍ବଲପୁର, ଫେବୃୟାରୀ ୨୪ -କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସମ୍ବଲପୁର ଠାରେ ‘ମିଶନ ବାତ୍ସଲ୍ୟ ଯୋଜନା’ ଅନ୍ତର୍ଭୁକ୍ତ ଅନାଥ ଓ ଅନଗ୍ରସର ପିଲାମାନଙ୍କ ସହାୟତା ପାଇଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସହାୟତା ରାଶି ବିତରଣ କରିଛନ୍ତି । ଏହ ଯୋଜନାରେ ଯୋଜନାରେ ଜିଲ୍ଲାର ୨୬୬ ଜଣ ପିଲାଙ୍କୁ ମାସିକ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମ୍ବଲପୁର ଜିଲ୍ଲାରେ ଥିବା ଅନାଥ ପିଲାଙ୍କ ଯତ୍ନ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ହଜାର ହଜାର ନିରାଶ୍ରୟ କୋମଳମତି ଶିଶୁଙ୍କୁ ନୂଆ ରାହା ଦେଖାଇବାର ଏହା ଏକ ଭଲ ପ୍ରୟାସ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ସୁସ୍ଥ ଏବଂ ସୁଖମୟ ଶୈଶବ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ଆଗକୁ ବଢିବାରେ ସହଯୋଗ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ଏହି ବର୍ଗର ପିଲାମାନଙ୍କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୪ ହଜାର ଟଙ୍କାର ସହାୟତା ଦିଆଯାଉଛି । ଆଜି ସମ୍ବଲପୁର ଜିଲ୍ଲାରେ ୧୬୩ ଜଣ ପିଲା ମିଶନ ବାତ୍ସଲ୍ୟ ଯୋଜନାରେ ସାମିଲ ହୋଇଛନ୍ତି । ପୂର୍ବରୁ ୧୩୩ ଜଣ ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଏଣିକି ସମ୍ବଲପୁର ଜିଲ୍ଲାର ମୋଟ ୨୬୬ ପିଲା ମିଶନ ବାତ୍ସଲ୍ୟ ଯୋଜନାରେ ମାସକୁ ୪ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ । ପିଲାମାନେ ସେମାନଙ୍କ ବୟସର ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଥିବା ବେଳେ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ସମ୍ବେଦନଶୀଳ ତଥା ଅନୁକୂଳ ପରିବେଶ ଉପଲବ୍ଧ କରିବା ହିଁ ବାତ୍ସଲ୍ୟ ମିଶନର ଉଦ୍ଦେଶ୍ୟ ।

ଶ୍ରୀ ପ୍ରଧାନ କହିଛନ୍ତି, ଭଗବାନଙ୍କ କୃପାରୁ ସମାଜରେ କେହି ଅନାଥ ନରୁହନ୍ତୁ । ଏ ଦିଗରେ ଆମର ମଧ୍ୟ ଦାୟିତ୍ୱ ଅଛି । ଡବଲ ଇଞ୍ଜିନ ସରକାରରେ ପ୍ରଶାସନ ଆଜି ଶାସନ କରିବା ପାଇଁ ନୁହେଁ ବରଂ ସେବା କରିବା ଦାୟିତ୍ୱରେ ଅଛି । ଅନାଥ ହୋଇ ଭିକ୍ଷା ବୃତ୍ତିରେ ନିୟୋଜିତ ଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶାସନିକ ବ୍ୟବସ୍ଥା ସହ ଯୋଡିବା ଆମର ଦାୟିତ୍ୱ ହେଉ । ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ସଂସ୍କାର ଓ ପରମ୍ପରାର ଆମେ ଅନୁଯାୟୀ । ସମ୍ବଲପୁରକୁ ଏକବିଂଶ ଶତାବ୍ଦୀରେ ସୁସଂସ୍କୃତ ଓ ସମୃଦ୍ଧଶାଳୀ ଜିଲ୍ଲା ଭାବେ ପୁନଃପ୍ରତିଷ୍ଠା କରିବା । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ଗତି କରୁଥିବା ଶିଶୁମାନଙ୍କର ସେବା ଯତ୍ନକୁ ପ୍ରାଥମିକତା ଓ ପ୍ରୋତ୍ସାହନ ଦେବା ସହ ଏହି କାର୍ଯ୍ୟକ୍ରମ ବିଷୟରେ ସଚେତନ କରାଇବା । ଶ୍ରୀ ପ୍ରଧାନ ସମସ୍ତ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Comments are closed, but trackbacks and pingbacks are open.