କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ

12

ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା

ଭୁବନେଶ୍ୱର, ୨୫ ।୧: କିଟ୍ ଓ କିସ୍ ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଓଡ଼ିଶାର ୩୭ଟି ସ୍ଥାନ ଓ ଭାରତର ୬୫ରୁ ଅଧିକ ସ୍ଥାନରେ ଏହି ମିନି ମାରାଥନ ଆୟୋଜନ କରାଯାଇଥିଲା। ଏହାର ଏକ ଅଂଶ ବିଶେଷ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ଦ୍ୱିତୀୟ ସଂସ୍କରଣରେ ୬ ହଜାର ମହିଳା ପାଟ ଶାଢ଼ି ପିନ୍ଧି ଦୌଡ଼ିଥିଲେ। ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଟାଥନ ଆୟୋଜନ କରାଯାଉଛି। କିଟ୍‌, କିସ୍ ଓ କିମ୍‍ସର ୫ହଜାର ମହିଳା କର୍ମଚାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଶିଖରଚଣ୍ଡୀ ମନ୍ଦିର ଛକରୁ କିସ୍ ଆଥଲେଟିକ୍ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ ।

ଏହି ଗଣଦୌଡ଼ରେ ରାଉରକେଲାର କିରଣ ମାହାତୋ ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା ଜିଣିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ କଟକର ତେଜସ୍ୱିନୀ କିସପଟ୍ଟା ଓ ସସ୍ମିତା ବେହେରା ୪୦ ହଜାର ଓ ୩୦ ହଜାର ଟଙ୍କା ପୁରସ୍କାର ଜିତିଥିଲେ । ସେହିପରି ୭ଜଣ ରନର୍ସଅପ୍‍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବିଜୟୀଙ୍କୁ ପାଟଶାଢ଼ି ପ୍ରଦାନ କରାଯାଇଥିଲା । କିଟ କେ- ୩ ମହିଳା କ୍ଲବ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ, ବିଏମସି ମେୟର ସୁଲୋଚନା ଦାସ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଅଲିମ୍ପିଆନ୍‍ ଦୂତି ଚାନ୍ଦ ଓ ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ମାରାଥନରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ଉତ୍ସାହିତ ଓ ପୁରସ୍କାର ପ୍ରଦାନ କରିଥିଲେ। ‘ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ପ୍ରୋତ୍ସାହନରେ ୨୦୧୬ ମସିହାରୁ ଏହା ଆୟୋଜିତ ହୋଇଆସୁଛି।

Comments are closed, but trackbacks and pingbacks are open.