ବଢିପାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

47

ଭୁବନେଶ୍ୱର : ବଢିପାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ଜୁଲାଇ ୧ରେ ସେ ଦାୟିତ୍ବ ନେଇଥିଲେ । ଚଳିତ ମାସ ୩୧ରେ ସରୁଛି ଚାକିରି କାର୍ଯ୍ୟକାଳ । କିନ୍ତୁ ଆସନ୍ତା ମାସରେ ଦୁଇଟି ବଡ଼ ଇଭେଣ୍ଟ, ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ ରହିଛି । ଏହାସହ ସରକାରଙ୍କ ଅନେକ ଯୋଜନା ନୂଆରେ କାର୍ଯ୍ୟକାରୀ ହେଉଛି । ଏସବୁରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ତାଙ୍କ କାର୍ଯ୍ୟକାଳ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ବଢିପାରେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ଚାକିରୀ କାର୍ଯ୍ୟକାଳ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଛଅ ମାସ କିମ୍ବା ବର୍ଷେ ବଢ଼ିପାରେ କାର୍ଯ୍ୟକାଳ। ମନୋଜ ଆହୁଜାଙ୍କର ୩୪ ବର୍ଷର ଚାକିରୀ ଜୀବନ। ଆସନ୍ତା ଡିସେମ୍ବର ୩୧ ତାଙ୍କ ଚାକିରୀ କାର୍ଯ୍ୟକାଳର ଶେଷ ଦିନ ରହିଛି।ପ୍ରକାଶଯୋଗ୍ୟ, ଜୁନ୍ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାର ଶପଥ ନେଇଥିଲେ । ଏହାପରେ ଜୁଲାଇ ୧ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ମନୋଜ ଆହୁଜା। ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ରୀୟ ଡେପୁଟେସନରୁ ସେ ଓଡିଶା ଫେରିଥିଲେ। ଓଡିଶା ଫେରିବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ୭ ବର୍ଷ ଧରି ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ। ରାଜ୍ୟ ପ୍ରଶାସନର ମୁଖିଆ ହିସାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସମତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଉତ୍ତମ ସମନ୍ବୟ ରଖିବାରେ ତାଙ୍କର ବଡ ଭୂମିକା ରହିଛି।ଆସନ୍ତା ଜାନୁଆରୀ ୭ ଓ ୮ରେ ପ୍ରବାସୀ ଭାରତୀୟ ଦିବସ ଓଡିଶାରେ ହେବ। ସାରା ବିଶ୍ବରୁ ଅତିଥିମାନେ ଓଡ଼ିଶା ଆସିବେ। ଜାନୁଆରୀ ଶେଷରେ ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡିଶା କନକ୍ଲେଭ ହେବ। ଏହା ଭିତରେ ଓଡିଶା ସରକାର ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର ସମେତ ବିଭିନ୍ନ ସ୍ଥାନରେ ଉତ୍କର୍ଷ ଓଡିଶା ପାଇଁ ରୋଡ ସୋ କରିସାରିଲେଣି । ଏଥିରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା। ଏହା ବ୍ୟତୀତ କେନ୍ଦୁଝର ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ତାଙ୍କ ଉପରେ ଗୁରୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଓଡିଶାରେ ଏବେ ଅନେକ ଗୁରୁତ୍ବପୂର୍ଣ୍ଣ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏ ସବୁର କାର୍ଯ୍ୟକାରିତାରେ ମୁଖ୍ୟ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି। ଏପରିସ୍ଥିତିରେ ତାଙ୍କର କାର୍ଯ୍ୟକାଳ ବଢିବା ଏକପ୍ରକାର ସୁନିଶ୍ଚିତ। କିନ୍ତୁ କେତେଦିନ ବଢିବ ତାହା ଉପରେ ନଜର ରହିଛି। ୬ ମାସ ନା ବର୍ଷେ ତାଙ୍କ କାର୍ଯ୍ୟକାଳ ବଢିବ ତାକୁ ନେଇ ଏବେ ପାୱର କରିଡରରେ ଆରମ୍ଭ ହୋଇଛି ଚର୍ଚ୍ଚା।

Comments are closed, but trackbacks and pingbacks are open.