କ୍ୟାମ୍ପସ ସଫେଇ କରିବାକୁ ଡିଇଓ, ବିଇଓଙ୍କୁ ନିର୍ଦ୍ଦେଶ:ଅକ୍ଟୋବରରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଯୋଜନା ପ୍ରସ୍ତୁତି

21

ଅକ୍ଟୋବରରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କଲେଣି ।ଗତ ୨ ମାସ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତି ରେ ହ୍ରାସ ପାଇଥିବାରୁ ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ‌ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ । ଏହି ବିଷୟରେ ସୂଚନାଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମାସକ ତଳେ ଗଣଶିକ୍ଷା ସଚିବ ଶ୍ରୀ ସାହୁଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ, ପ୍ରାଥମିକ ବିଦ୍ୟାଳୟର ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲାଯାଉ I
ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଦୁଇ ଦିନ ତଳେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ବିଶଦ ଆଲୋଚନା ବି ହୋଇଛି । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଖୋଲିବା ନେଇ ‌ଯେକୌଣସି ସମୟରେ ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଏହି ବିଷୟ ରେ ଆହୁରି କୁହା ଯାଇଛି ଯେ ସ୍କୁଲ ନ ଖୋଲିବା ଯାଏ,ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚାଟଶାଳୀ ମାଧ୍ୟମ ଶିକ୍ଷା ଦିଅନ୍ତୁ I ମାଲକାନଗିରି, ଖୋର୍ଦ୍ଧା, ସୋନପୁର ପ୍ରଭୃତି ଜିଲ୍ଲାରେ ଏଭଳି ଶିକ୍ଷାଦାନ କରାଯାଉଛି । ଏପର୍ଯ୍ୟନ୍ତ ଆରମ୍ଭ କରି ନ ଥିବା ଜିଲ୍ଲାଗୁଡ଼ିକ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.