ଦୁର୍ଗାପୂଜା ଆମର ସଂସ୍କୃତି ଏବଂ ସାମୂହିକ ସଦଭାବନାର ଅବିଚ୍ଛେଦ୍ୟ ଅଙ୍ଗ – ଧର୍ମେନ୍ଦ୍ର ପ୍ରଧାନ

32

ଭୁବନେଶ୍ୱର/ସମ୍ବଲପୁର, ଅକ୍ଟୋବର ୧୩ –  ଆମର ପର୍ବ ପର୍ବାଣୀ ଗୁଡ଼ିକ ଆମର ପରିଚୟ । ଦୁର୍ଗା ପୂଜା ସାମାଜିକ ସମରସତାର ଅନନ୍ୟ ବିଭବ । ଆମର ସଂସ୍କୃତି ଏବଂ ସାମୂହିକ ସଦଭାବନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦଶହରା ଅବସରରେ ସମ୍ବଲପୁରରେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କରିବା ଅବସରରେ କହିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତ ୧୨ ଓ ୧୩ ତାରିଖ ଦୁଇଦିନ ଧରି କେନ୍ଦ୍ରମନ୍ତ୍ରୀ ଦଶହରାରେ ବିଭିନ୍ନ ମନ୍ଦିର ଓ ଦୁର୍ଗାପୂଜା ମଣ୍ଡପ ଦର୍ଶନ କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିର, ସମ୍ବଲପୁରର ମା’ ପାଟଣେଶ୍ୱରୀ ମନ୍ଦିରରେ ଠାକୁରାଣୀଙ୍କ ଆଶୀର୍ବାଦ ନେଇଥିଲେ । ଅନେକ ସ୍ଥାନରେ ଦୁର୍ଗା ପୂଜା ମଣ୍ଡପ ଓ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଦର୍ଶନ ସହ ଆରାଧନା କରିଥିଲେ । ଅଇଁଠାପାଲି ଠାରେ ଆୟୋଜିତ ରାବଣ ପୋଡ଼ି ଉତ୍ସବ – ୨୦୨୪ରେ ସାମିଲ ହୋଇ ରାବଣ ଦହନ କରିଥିଲେ । ନୂଆପଡ଼ା ବରେଇପାଲି ଠାରେ ବାପୁଜି କ୍ଲବ ପକ୍ଷରୁ ଆୟୋଜିତ “ନୂଆଁଖାଇ ଭେଟଘାଟ୍ – ୨୦୨୪” କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିବିଶେଷ ଓ ସମାଜସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ଆମର କଳା, ସଂସ୍କୃତି, ପରମ୍ପରାକୁ ଉଜାଗର କରିବାର ଅନନ୍ୟ ଅବସର । ମା’ଙ୍କ ଉପାସନା ଐତିହ୍ୟରେ ଶତାବ୍ଦୀ ଶତାବ୍ଦୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବ ଲୁକ୍କାୟିତ । ସେ ଆହୁରି କହିଛନ୍ତି ଯେ ପର୍ବ ପର୍ବାଣୀରେ ସମ୍ବଲପୁର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଦୁର୍ଗା ପୂଜା ମଣ୍ଡପ ବୁଲିବା ସମୟରେ ଅନେକ ଗୁରୁଜନ, ମାତୃଶକ୍ତି, ଶ୍ରଦ୍ଧାଳୁ ଏବଂ ବନ୍ଧୁମାନଙ୍କୁ ଭେଟି ବହୁତ ଖୁସି ଅନୁଭବ ହେଲା । ଦୁର୍ଗାପୂଜା ମେଢ ଗୁଡ଼ିକ ଖୁବ ଆକର୍ଷଣୀୟ ହୋଇଛି । ବିଭିନ୍ନ ପୂଜାମଣ୍ଡପରେ ସୁସଜ୍ଜିତ ତୋରଣ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଛି । ଅଭିନବ ଶୈଳୀରେ ନିର୍ମିତ ହୋଇଥିବା ତୋରଣ ଗୁଡ଼ିକ ଶିଳ୍ପୀଙ୍କ ସୃଜନଶୀଳତାକୁ ଦର୍ଶାଉଛି । ପ୍ରଭୁ ଶ୍ରୀରାମ, ମା’ ଦୁର୍ଗା ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ସମାଜରୁ ଅନ୍ଧକାର ରୂପକ ରାବଣ ବିଲୁପ୍ତ ହେଉ । ଆମ ରାଜ୍ୟ ଓ ଦେଶ ପ୍ରଗତିର ପଥରେ ଆଗକୁ ଯାଉ ବୋଲି କେନ୍ଦ୍ରମନ୍ତ୍ରୀ  ପ୍ରାର୍ଥନା କରିଛନ୍ତି ।

Comments are closed, but trackbacks and pingbacks are open.