ପୃଥିବୀକୁ ମିଳିଲା ‘ମିନି ମୁନ୍‌’

62

ୱାଶିଂଟନ, ନୂଆଦିଲ୍ଲୀ : ରବିବାର ଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍ ମିଳିବ। ‘୨୦୨୪ ପିଟି ୫’ ନାମକ ଏକ ଛୋଟ ଆଷ୍ଟରଏଡ୍ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଛି। ଏହା ଆଷ୍ଟରଏଡ୍‌ଟି ଚନ୍ଦ୍ର ଆଲୋକରେ ଆଲୋକିତ ହେବା ଫଳରେ ଏହା ଏକ ମିନି ଚନ୍ଦ୍ରର ଭ୍ରମ ସୃଷ୍ଟି କରିବ। ଏହି ଆଷ୍ଟରଏଡର ବ୍ୟାସ ମାତ୍ର ୧୦ ମିଟର (୩୩ ଫୁଟ୍‌) ରହିଛି। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହେବା ଫଳରେ ରବିବାର ଠାରୁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ। ଏହା ପ୍ରାୟ ୫୩ ଦିନ ଯାଏ (ନଭେମ୍ବର ୨୫ ଯାଏ) ପୃଥିବୀର କକ୍ଷପଥରେ ରହିବ। ପୃଥିବୀର ଚନ୍ଦ୍ରଠାରୁ ୩,୫୦,୦୦୦ ଗୁଣ ଛୋଟ ଏହି ମିନି ମୁନ୍ ବା କ୍ଷୁଦ୍ର ଚନ୍ଦ୍ର ରାତି ୧:୩୦ ପରେ ଏକ ସ୍ୱତନ୍ତ୍ର ଟେଲିସ୍କୋପ (ପ୍ରଫେସନାଲ ଟେଲିସ୍କୋପ୍‌) ସାହାଯ୍ୟରେ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଜେନିଫର ମିଲାର୍ଡ କହିଛନ୍ତି। ଏହି ଚନ୍ଦ୍ର ପ୍ରକୃତରେ ଏକ ଗ୍ରହ ଅଟେ। ୭ ଅଗଷ୍ଟରେ ଏହା ଆବିଷ୍କୃତ ହୋଇଥିଲା। ଏହାର ଗତି ବହୁତ କମ୍ ରହିଥିବାରୁ ଏହି ଆଷ୍ଟେରଏଡ୍ ଆସନ୍ତା ଦୁଇ ମାସ ମଧ୍ୟରେ ପୃଥିବୀର ଗୋଟିଏ ସମ୍ପୂର୍ଣ୍ଣ ଅଂଶକୁ ମଧ୍ୟ ପରିକ୍ରମା କରିପାରିବ ନାହିଁ। ତେବେ ନଭେମ୍ବର ୨୫ ପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ‘୨୦୨୪ ପିଟି ୫’ ମୁକ୍ତ ହେବ ଏବଂ ଏହା ସୂର୍ଯ୍ୟ ଚାରିପଟେ ଘୂରିବା ଆରମ୍ଭ କରିବ। ତେବେ ୨୦୫୫ରେ ପୁଣିଥରେ ‘୨୦୨୪ ପିଟି ୫’ ପୃଥିବୀର କକ୍ଷପଥକୁ ଫେରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଏହି ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ପ୍ରଦର୍ଶିତ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ପ୍ରକାଶ, ଅର୍ଜୁନ ଆଷ୍ଟେରଏଡ ବେଲ୍ଟର ଏକ ସୂକ୍ଷ୍ମ ଆଷ୍ଟରଏଡ ହେଉଛି ୨୦୨୪ ପିଟି ୫। ବୈଜ୍ଞାନିକଙ୍କ ଅନୁଯାୟୀ, ଶନିଙ୍କର ୧୪୬ ଚନ୍ଦ୍ର ଥିବାବେଳେ ବୃହସ୍ପତିଙ୍କର ୯୫ଟି, ମଙ୍ଗଳ ଗ୍ରହର ୨ଟି ଏବଂ ପୃଥିବୀରେ କେବଳ ଗୋଟିଏ ଚନ୍ଦ୍ର ଅଛି। ଆଷ୍ଟେରଏଡ୍ ଗବେଷକ ଫେଡେରିକା ସ୍ପୋଟୋ ଏବଂ ସ୍ମିଥସୋନିଆନ୍ କହିଛନ୍ତି ଯେ, ୨୦୨୪ ପିଟି ୫ ମହାକାଶରେ ସେହି ଆଷ୍ଟେରଏଡଗୁଡିକ ବିଷୟରେ ସୂଚନା ପ୍ରଦାନ କରିବ, ଯାହାକି ପୃଥିବୀ ନିକଟତର ହେବ କିମ୍ବା ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବ। ଏତଦ୍‌ବ୍ୟତୀତ ପୃଥିବୀ ପରିକ୍ରମା ସମୟରେ ଏହି ଆଷ୍ଟରଏଡ୍ ଅନେକ ମହାକାଶଭିତ୍ତିକ ଜାଗତିକ ଘଟଣାବଳୀ ସମ୍ପର୍କରେ ମଧ୍ୟ ସୂଚନା ଦେବ। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ମଧ୍ୟ ଏହି ‘ମିନି ମୁନ୍‌’ର କାର୍ଯ୍ୟକଳାପ ଉପରେ ନେଟୱାର୍କ ଫର୍ ସ୍ପେସ୍ ଅବଜେକ୍ଟସ୍ ଟ୍ରାକିଂ ଆଣ୍ଡ ଆନାଲିସିସ୍ (ନେତ୍ର) ଜରିଆରେ ତୀକ୍ଷ୍ଣ ନଜର ରଖାଯାଇଛି। ପ୍ରକାଶ, ଏହାପୂର୍ବରୁ ୧୯୮୧ ଏବଂ ୨୦୨୨ ମସିହାରେ ମଧ୍ୟ ପୃଥିବୀ ୨୦୨୨ ଏନ୍‌ଏକ୍ସ ୧ ନାମକ ଏକ ମିନି ଚନ୍ଦ୍ର ପାଇଥିଲା।

Comments are closed, but trackbacks and pingbacks are open.