ହୀରାକୁଦରେ ଖୋଲିଲା ୨୮ଟି ଗେଟ୍‌ : ବଢ଼ିଲା ମହାନଦୀ ଜଳସ୍ତର

33

ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ମହାନଦୀ ର ଜଳସ୍ତର ଧୀରେଧୀରେ ବଢୁଛି I ଗତକାଲି ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ପର୍ଯ୍ୟକ୍ରମେ ୬ଟିରୁ ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ ଖୋଲାଯାଇଛି । ଏଥିସହ ହୀରାକୁଦ ଡ୍ୟାମର ସମୁଦାୟ ୨୮ଟି ଗେଟ୍ ଦ୍ୱାରା ଜଳ ନିଷ୍କାସନ ହେଉଛି ।
ହୀରାକୁଦରେ ୨୮ଟି ଗେଟ୍‌ ଖୋଲା ଯାଇଥିଲେ ବି ମୁଣ୍ଡଳିରେ ସ୍ଥିତି ନିରାପଦ ରହିଛି । ଏଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବାବେଳେ ବର୍ତ୍ତମାନ ଜଳ ପତ୍ତନ ଏହାର ବହୁ ତଳେ ରହିଛି । ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ମୁଣ୍ଡଳୀ ଦେଇ ଏବେ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲା ମୁଣ୍ଡଳିରେ ଆଜି ସକାଳେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ । ଏହି ସମୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଆଜି ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ଏହାପରେ ଜଳସ୍ତର ବଢ଼ି ୮ଟାରେ ତାହା ୬୨୮.୪୫ ଫୁଟ ଓ ୯ଟାରେ ୬୨୮.୫୦ ଫୁଟରେ ପହଞ୍ଚିଥିଲା। ଏହାପରେ ୧୦ଟାରେ ଜଳସ୍ତର ୬୨୮.୫୬ ଫୁଟ୍ ଥିବା ବେଳେ ୧୧ଟାରେ ୬୨୮.୬୨ ଫୁଟରେ ପହଞ୍ଚିଛି ।
ଆଜି ହୀରାକୁଦରେ ଅଧିକ ଗେଟ୍ ଖୋଲାଯାଇଥିଲେ ବି ସେ ପାଣି ଆସି ଏଠାରେ ପହଞ୍ଚୁ ପହଞ୍ଚୁ ୧୮ ତାରିଖ ସକାଳ ହୋଇଯିବ । ସେତେବେଳକୁ ଏଠାରୁ ଜଳ ନିଷ୍କାସନ ହୋଇ ସାରିଥିବ । ଏଣୁ ୧୮ ତାରିଖ ସକାଳ ବେଳକୁ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷରୁ ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।
ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ମୁତୟନ କରାଯାଇଛି ୪ଟି ଏନଡିଆରଏଫ୍‌ ଟିମ୍ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍‌ ପଠାଯାଇଛି । ଯବାନମାନେ ରିଲିଫ୍, ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ ।

Leave A Reply

Your email address will not be published.