ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ବିଶ୍ୱବ୍ୟାଙ୍କ ଟିମ୍

41

ଭୁବନେଶ୍ୱର : ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ବ୍ୟାପକ ରଣନୀତି ସମ୍ପର୍କରେ ଅଧ୍ୟୟନ ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସୁପାରିଶ କରିବା ଉଦ୍ଦେଶ୍ୟରେ ଭାରତ ସରକାର, ବିଶ୍ଵବ୍ୟାଙ୍କ ସହଯୋଗରେ ଅଧ୍ୟୟନ ନିମନ୍ତେ ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମେଘାଳୟ ଭଳି ୪ ଟି ରାଜ୍ୟକୁ ଚିହ୍ନଟ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ବରିଷ୍ଠ ସରକାରୀ-ବେସରକାରୀ ସହଭାଗିତା (ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ) ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ନେଇ ଗଠିତ ବିଶ୍ୱବ୍ୟାଙ୍କର ଏକ ୫ ଜଣିଆ ଟିମ୍ ଗତକାଲି ମଙ୍ଗଳବାର ଲୋକସେବା ଭବନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପ୍ରମୁଖ ଭିତ୍ତିଭୂମି ବିଭାଗମାନଙ୍କର ସଚିବ, ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ନିର୍ଦ୍ଦେଶାଳୟ ଏବଂ ଅର୍ଥ ବିଭାଗର ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣ ରାଜ୍ୟ ପାଇଁ ଲାଭଦାୟକ ହେଉଥିବା ସମ୍ପର୍କରେ ମତ ରଖିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗର୍ଗ ପ୍ରତିନିଧି ଦଳକୁ ଓଡ଼ିଶାର ନୂତନ ପିପିପି ନୀତି, ପିପିପି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ସଂସ୍ଥାଗତ ଢାଞ୍ଚା ଏବଂ ସାମାଜିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ନିକଟରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ରାଜ୍ୟବାସୀଙ୍କ ଆକାଂକ୍ଷା ଏବଂ ଜାତୀୟ ଓ ବିଶ୍ଵ ସ୍ତରରେ ଓଡିଶା ବହୁମୁଖୀ ସ୍ୱୀକୃତି ପାଇଁ “ଭିଜନ୨୦୩୬” ର ଗୁରୁତ୍ଵପୂର୍ଣ ଭୂମିକା ରହିଛି ବୋଲି ସେ ମତପୋଷଣ କରିଥିଲେ ।
ଅତୀତ ଓ ବର୍ତ୍ତମାନର ପ୍ରକଳ୍ପଗୁଡିକର ସଫଳ ରୂପାୟନ ଏବଂ ଆହ୍ଵାନ ବିଷୟରେ ଅବଗତ ହେବା ଏହି ବିଶ୍ଵବ୍ୟାଙ୍କ ଦଳର ପ୍ରାଥମିକ ଲକ୍ଷ୍ୟ ।ଏହାଦ୍ଵାରା ସେମାନେରାଜ୍ୟରେ ଅନୁସରଣ କରାଯାଉଥିବା କେତେକ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରିବାରେ ସକ୍ଷମ ହେବେ, ଯାହିକି, ଅନ୍ୟ ରାଜ୍ୟ ତଥା ପ୍ରମୁଖ ବୈଶ୍ୱିକ ଅଂଶୀଦାରମାନଙ୍କୁ ଜ୍ଞାନଆହରଣ ପାଇଁ ସହାୟକ ହେବ । ଏହା ବ୍ୟତୀତ ଆବଶ୍ୟକସ୍ଥଳେ ଭବିଷ୍ୟତ ପ୍ରକଳ୍ପ ପାଇଁ ଗୁରୁତ୍ଵପୂର୍ଣ ବୈଷୟିକ ପରାମର୍ଶଦାତା ସେବା ପ୍ରଦାନ ମଧ୍ୟ ଏହି ଟିମ୍ ର ଲକ୍ଷ୍ୟ ରହିଛି ।

Comments are closed, but trackbacks and pingbacks are open.