ଶ୍ରୀକ୍ଷେତ୍ରରେ ପୁଣି ଭୟାବହ ଅଗ୍ନିକାଣ୍ଡ

54

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀ ର ପିଛା ଛାଡୁନି ଅଗ୍ନିକାଣ୍ଡ ଦୁର୍ଘଟଣା। ଗତ ଚାରି ମାସ ମଧ୍ୟରେ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ, ଶ୍ରୀଗୁଣ୍ଡିଚା ନାକଚଣା ଦୁଆର ନିକଟରେ ଅଗ୍ନିକାଣ୍ଡ, ଅଠରନଳା କବାଡ଼ି ଗୋଦାମ ଅଗ୍ନିକାଣ୍ଡ ଏବଂ ବିଦ୍ୟୁତ ଖୁଣ୍ଟି ରେ ଅଗ୍ନିକାଣ୍ଡ ପରେ ଆଜି ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ନିକଟ ମଧୁବନ ତୃତୀୟ ଲେନ୍ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ବିବରଣୀରୁ ଜଣା ପଡିଛି କି, ମଧୁବନ ତୃତୀୟ ଲେନ୍ ରେ ଏକ ଖୋଲା ପ୍ଲଟ ରେ ଗୋଟିଏ କବାଡ଼ି ଗୋଦାମ ଚାଲୁଥିଲା। ଗତ କିଛି ଦିନ ଧରି ଗୋଦାମ ଟି ବନ୍ଦ ରହିଥିଲେ ମଧ୍ୟ ଉକ୍ତ ସ୍ଥାନରେ ବହୁ ମାତ୍ରାରେ ଲୁହା ଟିଣ ପ୍ଲାଷ୍ଟିକ୍ ଏବଂ ଫାଇଭର୍ କବାଡ଼ି ଜିନିଷ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। କୌଣସି କାରଣରୁ ଆଜି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ସେଥିରେ ନିଆଁ ଲାଗି ଯାଇଥିଲା। କେହି କିଛି ବୁଝିବା ଆଗରୁ ହଠାତ୍ ମଧୁବନ, ମାଟିଆ ପଡା ନବକଳେବର ରୋଡ, ଗୁଣ୍ଡିଚା ବିହାର ଆଦି ଅଞ୍ଚଳର ଆକାଶ ଘନ କଳା ଧୂଆଁରେ ଭରି ଯାଇଥିଲା। ଲୋକ ମାନଙ୍କ ମଧ୍ୟରେ ଅଜଣା ଆତଙ୍କ ଖେଳି ଯାଇଥିଲା। ପରେ ଦମକଳ ବାହିନୀର ଦୁଇଟି ନିଆଁ ଲିଭା ଗାଡି ଆସି ଦୁଇଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇ ଥିବାର ଜଣା ପଡି ନାହିଁ କି କ୍ଷୟକ୍ଷତି ର ଆକଳନ ଜଣା ପଡ଼ିନାହିଁ। ପ୍ରକାଶ ଥାଉକି କବାଡ଼ି ଗୋଦାମ ମାନଙ୍କରେ ଜରି, ପ୍ଲାଷ୍ଟିକ୍ ଫାଇବର ଭଳି ସହଜରେ ନିଆଁ ଲାଗି ଯିବା ଭଳି ଅନେକ ଜିନିଷ ମହଜୁଦ ହୋଇ ରହିଥାଏ। ମାତ୍ର ପୁରୀ ସହରର କୌଣସି ବି କବାଡ଼ି ଗୋଦାମରେ ନିଆଁ ଲିଭା ଯନ୍ତ୍ର ଥିବା ଦେଖିବାକୁ ମିଳେନି। ତେଣୁ ଅନେକ ସମୟରେ ଏପରି ଦୁର୍ଘଟଣା ମାନ ଘଟିଥାଏ। ମଧୁବନ ଭଳି ଏକ ସମ୍ବେଦନଶୀଳ ଜନଗହଳି ପୂର୍ଣ୍ଣ ସ୍ଥାନରେ ଜନବସତି ମଧ୍ୟ ଭାଗରେ କବାଡ଼ି ଗୋଦାମ ଚାଲିବା ଏବଂ ଏତେ ମାତ୍ରାରେ ଆବର୍ଜନା ଗଦା ହୋଇ ରହିବା କିପରି ପୁରୀ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଗୋଚର ହେଉ ନଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.