ଦେଶରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ

184

ନୂଆଦିଲ୍ଲୀ: ଦେଶରେ ଜନଗଣନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ଏହି ଗଣନା ପ୍ରକ୍ରିୟାରେ ଜାତି ସମ୍ବନ୍ଧୀୟ ସ୍ତମ୍ଭକୁ ଅନ୍ତର୍ଭୁକ୍ତ କରିବା ନକରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ରବିବାର ଏସମ୍ପର୍କରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଏସମ୍ପର୍କରେ ସୂଚନା ମିଳିଛି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଦେଶରେ ଜନଗଣନା କରାଯିବ, କିନ୍ତୁ ଜାତିଗତ ଗଣନା ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଭାରତରେ ୧୮୮୧ ମସିହାରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଛି। ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା। ଏହି କ୍ରମରେ ୨୦୨୧ରେ ଜନଗଣନା ହେବା କଥା। କିନ୍ତୁ କରୋନା ମହାମାରୀ ଯୋଗୁଁ ସେବର୍ଷ ଜନଗଣନା ହୋଇପାରିନଥିଲା। ଏବେ ମୋଦୀ ସରକାର ନିଜର ୩ୟ କାର୍ଯ୍ୟକାଳରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହି ଗଣନା ପ୍ରକ୍ରିୟା ଅନ୍ତର୍ଗତ ଜାତିଗତ ଜନଗଣନା କରାଯିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଫଳରେ ଏତର ଜନଗଣନାରୁ ଜାତିଗତ ଜନଗଣନାକୁ ବାଦ୍ ଦିଆଯାଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରକାଶ, ଏହି ଜନଗଣନା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ କରାଯାଉଛି। ପ୍ରକାଶ, ପ୍ରଥମ ଥର ପାଇଁ ଦେଶରେ ଜନଗଣନା ପ୍ରକ୍ରିୟା ଡିଜିଟାଲାଇଜେସନ୍ ଗଣନାଭିତ୍ତିକ ହେବ। ଯାହା ମାଧ୍ୟମରେ ନାଗରିକମାନେ ନିଜ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାର ସୁଯୋଗ ପାଇବେ। ଏଥିପାଇଁ ଜନଗଣନା କର୍ତ୍ତୃପକ୍ଷ ଏକ ସ୍ୱୟଂ ଗଣନା ପୋର୍ଟାଲ ପ୍ରସ୍ତୁତ କରିଛନ୍ତି, ଯାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ହିତାଧିକାରୀ ନିଜେ ନିଜର ଗଣନା ସମୟରେ ବାଧ୍ୟତାମୂଳକ ଭାବେ ଆଧାର କିମ୍ବା ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି। ସୂଚନାଯୋଗ୍ୟ, ପ୍ରତି ୧୦ ବର୍ଷରେ ଥରେ ଦେଶବ୍ୟାପୀ ଜନଗଣନା କରିବା କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କାରଣ ଏହି ପରିସଂଖ୍ୟାନ ଉପରେ ହିଁ ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଶେଷଥର ପାଇଁ ୨୦୧୧ରେ ଜନଗଣନା ହୋଇଥିବାରୁ ବର୍ତ୍ତମାନ ସମୟରେ ମଧ୍ୟ ସେହି ପରିସଂଖ୍ୟାନ ଅନୁସାରେ ଏପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଦ୍ଧାରଣ ହେଉଛି ତଥା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି।

Comments are closed, but trackbacks and pingbacks are open.