ସଂସଦର ସରକାରୀ ଭାଷା କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

103

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସର୍ବସମ୍ମତିକ୍ରମେ ସଂସଦୀୟ ସରକାରୀ ଭାଷା କମିଟିର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ନୂଆ ସରକାର ଗଠନ ପରେ ସରକାରୀ ଭାଷା କମିଟିର ପୁନର୍ଗଠନ ନେଇ ଆଲୋଚନା କରିବା ପାଇଁ ନୂଆଦିଲ୍ଲୀରେ କମିଟି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ୨୦୧୯ରୁ ୨୦୨୪ ମଧ୍ୟରେ ମଧ୍ୟ ଶ୍ରୀ ଅମିତ ଶାହ ଏହି କମିଟିର ଅଧ୍ୟକ୍ଷ ଥିଲେ। ସର୍ବସମ୍ମତିକ୍ରମେ ତାଙ୍କୁ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ କରିଥିବାରୁ ଗୃହ ମନ୍ତ୍ରୀ ସରକାରୀ ଭାଷା ସଂକ୍ରାନ୍ତ ସଂସଦୀୟ କମିଟିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଜ ଅଭିଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଗତ ୭୫ ବର୍ଷ ଧରି ଆମେ ସରକାରୀ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଆସୁଛୁ, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଏହାର ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସେ କହିଥିଲେ ଯେ କେ ଏମ୍ ମୁନ୍‌ସି ଏବଂ ଏନ୍ ଜି ଆୟଙ୍ଗର ବହୁ ସଂଖ୍ୟକ ଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସରକାରୀ କାର୍ଯ୍ୟରେ ଆଗକୁ ବଢ଼ାଇବା ସମୟରେ କୌଣସି ସ୍ଥାନୀୟ ଭାଷା ସହିତ ହିନ୍ଦୀର ପ୍ରତିଯୋଗିତା ହେବା ଉଚିତ୍ ନୁହେଁ। ଅମିତ ଶାହ କହିଥିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗତ ୧୦ ବର୍ଷ ମଧ୍ୟରେ ଏହି କମିଟି ହିନ୍ଦୀକୁ ସମସ୍ତ ସ୍ଥାନୀୟ ଭାଷାର ବନ୍ଧୁ କରିବା ପାଇଁ ଲଗାତାର ଚେଷ୍ଟା କରିଛି ଏବଂ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ହେବା ଉଚିତ୍ ନୁହେଁ। ସେ କହିଥିଲେ, ଆମେ ଧ୍ୟାନ ଦେବା ଉଚିତ ଯେ କୌଣସି ସ୍ଥାନୀୟ ଭାଷା କହୁଥିବା ଲୋକଙ୍କ ମନରେ ହିନ ଭାବନା ନଆସୁ ଏବଂ ହିନ୍ଦୀକୁ ସ୍ୱାଭାମିକ ରୂପରେ ସର୍ବସମ୍ମତି ଏବଂ ସହମତି ସହିତ କାମକାର୍ଯ୍ୟର ଭାଷା ଭାବରେ ଗ୍ରହଣ କରାଯାଉ। ସଂସଦୀୟ ସରକାରୀ ଭାଷା କମିଟିକୁ ମନୋନୀତ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ସମେତ ସରକାରୀ ଭାଷା ବିଭାଗ ସଚିବ ଶ୍ରୀମତୀ ଅଂଶୁଲି ଆର୍ଯ୍ୟଙ୍କ ନେତୃତ୍ୱରେ ସରକାରୀ ଭାଷା ବିଭାଗର ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ସଂସଦୀୟ କମିଟିର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.