ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ୪୨ତମ ପ୍ରତିଷ୍ଠା ଦିବସ

209

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଏକାମ୍ର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂହ, ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ତିରୁମାଲା ନାୟକ, ବିଡିଏ ସଚିବ ସ୍ନିଗ୍ଧରଣୀ ଧଳ ଓ ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ମନ୍ତ୍ରୀ ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ ଭୁବନେଶ୍ବରର ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରୀ ଯୋଜନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ବରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଲକ୍ଷ୍ୟରେ ସହରର ବିକାଶ, ସବୁଜିମା ବଜାୟ ରଖିବା ଏବଂ ସ୍ବେରେଜ୍ ଓ ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କ ସହଯୋଗଉପରେ ସେ ଆଲୋକପାତ କରିଥିଲେ।
ମେୟର ସୁଲୋଚନା ଦାସ ଭୁବନେଶ୍ବରକୁ ଏକ ସମାବେଶୀ ସହର ରେ ପରିଣତ କରିବା ଏବଂ ଜଳବାୟୁ ପରିବର୍ତ୍ତନର ଆହ୍ୱାନର ମୁକାବିଲା ଦିଗରେ ବିଡିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।
ସହରର ଦ୍ରୁତ ଅଭିବୃଦ୍ଧି ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବାକୁ ଏକାମ୍ର ବିଧାୟକ ବାବୁ ସିଂହ ବିଡିଏକୁ ଅନୁରୋଧ କରିଛନ୍ତି। ବିଡିଏ ଉପାଧ୍ୟକ୍ଷ ସହରର ବ୍ୟାପକ ବିକାଶ ଓ ବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି ଦିଗରେ କର୍ତ୍ତୃପକ୍ଷଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ବିଡିଏ କର୍ମଚାରୀ ଇଉନାଇଟେଡ଼ ଫୋରମର ସଭାପତି ସମୀର ମହାନ୍ତି ବିଡିଏ କର୍ମଚାରୀଙ୍କ ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ଦୋହରାଇଛନ୍ତି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଡିଏର ବାର୍ଷିକ ବିବରଣୀ ଉନ୍ମୋଚନ କରିବା ସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୭% ନମ୍ବର ରଖିଥିବାରୁ ବିଡିଏ କର୍ମଚାରୀ ସୁବାସିନୀ ପରିଡ଼ାଙ୍କ ପୁଅ ଅମ୍ଲାନ ସିଂଙ୍କୁ ସାର୍ଟିଫିକେଟ୍ ଓ ନଗଦ ୧୦ ହଜାର ଟଙ୍କା ସହ ସମ୍ମାନିତ କରିଥିଲେ ।
ଶେଷରେ ବିଡିଏ ସଚିବ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ବିଡିଏର କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ଏବଂ ପ୍ରମୁଖ ବିଡିଏ ପାର୍କରେ ସହରବାସୀଙ୍କୁ ୧୦୦୦ରୁ ଅଧିକ ଚାରା ବଣ୍ଟନ କରାଯାଇଥିଲା।

Comments are closed, but trackbacks and pingbacks are open.