ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ :ମା’ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ

29

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ପରମ୍ପରା ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ରେ ଗଣପର୍ବ ନୂଆଁଖାଇ ପାଳିତ ହୋଇଥାଏ । ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୁଏ Iଏହାପରେ ଘରେ ଘରେ ନୂଆ ଖାଇବେ ସମସ୍ତେ ।ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି। ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଜମିଛି ।ଏଥିପାଇଁ ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରୁଥିବାରୁ ବେଳେ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଏହାବ୍ୟତୀତ ନୂତନ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ମଧ୍ୟ ଦୋକାନ ବଜାରରେ ଅସମ୍ଭବ ଗହଳି ଲାଗି ରହିଛି ।
ଏଥର ମଧ୍ୟ ରାଜ୍ୟ ସରକାର ଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ ନିୟମ ମାନି ଭକ୍ତମାନେ ମା’ଙ୍କ ଦର୍ଶନ କରିବେ। ଭକ୍ତମାନଙ୍କ ଭିଡ଼କୁ ନଜରରେ ରଖି ମା’ଙ୍କର ଦର୍ଶନ ସମୟକୁ ପରିଚାଳନା କମିଟି ପକ୍ଷରୁ ବଦଳାଯାଇଛି। ଦିନ ସାଢେ ୧୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ । ନୂଆଖାଇ ପାଳନ କରିବାକୁ ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଘରେ ପହଞ୍ଚି ସାରିଛନ୍ତି ।
ଗତକାଲି ବଲାଙ୍ଗିରରେ ପାହୁର ଶୋଭାଯାତ୍ରା ହୋଇଛି । କୋଭିଡ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଗହଣରେ ଇଷ୍ଟଦେବୀ ମା’ ସମଲେଶ୍ୱରୀ, ପାଟଣେଶ୍ୱରୀଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ପାହୁର ପହଞ୍ଚିଛି । ଏହାସହ ବିଭିନ୍ନ ସହରରେ ନୂଆଖାଇ ପାଇଁ ବଜାରରେ ପାର୍ବଣ ହାଟ ବସିଛି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ମା ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଏଥର ଭଲ ଚାଷ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ଏହାସହ ସେ ପଶ୍ଚିମ ଓଡ଼ିଶାର ସମସ୍ତ ଭାଇଭଉଣୀଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି ।

Leave A Reply

Your email address will not be published.