ରାତି ଅଧିଆ ହେଲା ଦୁଷ୍ମନ୍ତ ଙ୍କ ଶବ ସତ୍କାର ,ସଫେଇ ଦେଲେ ବଡ଼ ମେଡିକାଲ କର୍ତ୍ତୃପକ୍ଷ

92

ବିଧାନସଭା ସମ୍ମୁଖରେ ବୁଧବାର ହାତ କାଟିବା ସହ ବିଷ ପିଇଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର କଟକ ବଡ଼ ମେଡିକାଲ ରେ ମୃତ୍ୟୁ ହୋଇ ଯାଇଥିବା ବେଳେ ରାତାରାତି ମୃତଦେହ ବ୍ୟବଚ୍ଛେଦ ସହ ସତ୍କାର କରି ଦିଆଗଲା। ପ୍ରଶାସନର ଏଭଳି ତରବରିଆ ପଦକ୍ଷେପ ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଦୁଷ୍ମନ୍ତଙ୍କ ଗାଁ ଲୋକ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଘଟଣାରେ ପ୍ରତିବାଦ କରି କଟକ-ପାରାଦୀପ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । କାହିଁକି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାତି ଅଧିଆ ମୃତଦେହର ପୋଷ୍ଟମର୍ଟ କରାଗଲା। ପୁରୀରେ ତରବରିଆ ଭାବେ କାହିଁକି ଶବ ପୋଡି ଦିଆଗଲା।

ଏପରିକି ଶେଷ ଥର ପାଇଁ ପୁଅକୁ ଦେଖିବାକୁ ଦେଲେନି ବୋଲି କହିଛନ୍ତି ଦୁଷ୍ମନ୍ତଙ୍କ ବୁଢା ବାପା । ଅନ୍ୟପଟେ କେସ୍ ରଫାଦଫା ପାଇଁ କାଳେ ବିଡିଓ ଲକ୍ଷେ ଟଙ୍କାର ଚେକ୍ ଦେଇଥିବା ଅଭିଯୋଗ ଆଣିଛନ୍ତି ପୁତୁରା । ବିଜୁ କାର୍ଡ ଥାଇ ବି ଚିକିତ୍ସା ମିଳୁନଥିବା ଅଭିଯୋଗ ଆଣି ଗତକାଲି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ମେଡିକାଲ ନେବା ବଦଳରେ ପ୍ରଥମେ ତାଙ୍କୁ ଥାନାକୁ ନିଆଯାଇ ଅନେକ ସମୟ ଯାଏ ଜେରା କରାଯାଇଥିଲା I ଫଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେଲା I ତା ପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା I ଯଦି ସଠିକ ସମୟରେ ଦୁଷ୍ମନ୍ତ ଙ୍କୁ ମେଡିକାଲ ନେଇ ଚିକିତ୍ସା କରାଯାଇ ଥାନ୍ତା ବଞ୍ଚିପାରିଥାନ୍ତେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।ସେହିପରି କୁଜଙ୍ଗ ଅଂଚଳ ବାସିନ୍ଦା ଙ୍କ ଅଭିଯୋଗ ଅନୁସାରେ ମୃତଦେହ ଅନ୍ତିମ ସଂସ୍କାର ପରେ କୁଆଡେ ଗଲେ ଦୁଷ୍ମନ୍ତଙ୍କ ମା ଓ ଶଳା ଙ୍କୁ ଯୋଗାଯୋଗ ହୋଇ ପାରିନାହିଁ କିମ୍ବା ସେମାନେ ଏ ପର୍ଯ୍ୟନ୍ତ ଘରେ ମଧ୍ୟ ପହଂଚିପାରି ନାହାନ୍ତି I

ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ଏହାପରେ କଟକ ବଡ଼ ମେଡିକାଲ ରେ ଚିକିତ୍ସା ଅଭାବରୁ ଯନ୍ତ୍ରଣା ଅସହ୍ୟ ହେବା ସେ ଅଭିଯୋଗ କରିଥିଲେ । ଏହାପରେ ସେ ଅଧିକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କୁ ବି ନେହୁରା ହୋଇ ଥିଲେ କିନ୍ତୁ ସବୁ ଆଡୁ ନିରାଶ ହୋଇଥିଲେ I ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ତାହା ବି ଗ୍ରହଣ ହେଉନଥିବା ଅଭିଯୋଗ କରିଥିଲେ । ସବୁଆଡ଼ୁ ନିରାଶ ହେବା ପରେ ଗତକାଲି ଦୁଷ୍ମନ୍ତ ନେଲେ ଚରମ ପଦକ୍ଷେପ । ବିଧାନସଭା ଆଗରେ ଦୁଷ୍ମନ୍ତ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ସନ୍ଧ୍ୟାରେ କଟକ ଏସସିବିରେ ଆଖି ବୁଜିଲେ ।

ଏହାପରେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର ବି କରି ଦିଆଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ସତ୍କାର କରାଯାଇଥିବା ପ୍ରଶାସନ କହୁଛି I କହି ରଖୁଛୁ କି ଦୁଷ୍ମନ୍ତ ବଂଚିଥିବା ବେଳେ ଯେଉଁ ପ୍ରଶାସନ ତାଙ୍କ ଅନୁରୋଧ କୁ କର୍ଣ୍ଣପାତ କରି ନ ଥିଲା ,ତାଙ୍କ ଆଖି ବୁଝିବା ପରେ କେଉଁ ଉଦ୍ଦେଶ୍ୟ ରେ ଶବ ସତ୍କାର ପାଇଁ ତତ୍ପର ହୋଇ ଉଠିଲା I ଯଦି ତାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କିଛିଦିନ ପୂର୍ବରୁ ପ୍ରଶାସନ ଏହି ତତ୍ପରତା ଦେଖାଇଥାନ୍ତା ଆଜି ଦୁଷ୍ମନ୍ତ ତାଙ୍କ ପରିବାର ସହିତ ଖୁସିରେ ଥାନ୍ତେ I
କଟକ ବଡ଼ ମେଡିକାଲ ର ଦୁଷ୍ମନ୍ତଙ୍କ ଚିକିତ୍ସା ରେ ହେଇଥିବା ଅବହେଳା ଅଭିଯୋଗ ପ୍ରସଙ୍ଗ ରେ ସେଠାକାର ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ୨୦୨୦ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କର ବ୍ୟାଡ କ୍ରସ୍ ଇଞ୍ଜୁରୀ ହୋଇଥିଲା । ପ୍ଲାଷ୍ଟିକ ସର୍ଜରୀ ଓ ଅର୍ଥୋପେଡିକ ବିଭାଗର ୨ଟି ବିଶେଷଜ୍ଞ ଟିମ୍ ୧୦/୧୨ ଘଣ୍ଟା ଧରି ତାଙ୍କ ଅପରେସନ୍ କରିଥିଲେ । ଅସ୍ତ୍ରୋପଚାର ଠିକ୍ ଥିଲା ଓ ତାଙ୍କ ଗୋଡ଼ ରକ୍ଷା ହୋଇ ଯାଇଥିଲା । ଏସସିବି ପକ୍ଷରୁ ମାଗଣାରେ ତାଙ୍କୁ ଚିକିତ୍ସ ଓ ଅନ୍ୟ ସବୁ ସୁବିଧା ଯୋଗାଇ ଦିଆଯାଇଥିଲା। ଏହାପରେ ତାଙ୍କୁ ଫିଜିଓଥେରାପି ପାଇଁ କୁହାଯାଇଥିଲା। ତେବେ ଯୁବକଙ୍କ ଇଚ୍ଛା ଥିଲା ଯେ ଆହତ ଗୋଡ଼ ବି ଅନ୍ୟ ଗୋଡ଼ ଭଳି ସମ୍ପୂର୍ଣ୍ଣ ଠିକ୍ ହୋଇଯାଉ । ଫିଜିଓଥେରାପିରେ ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ଠିକ୍ ହୋଇପାରିଥାନ୍ତା । ତେବେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଗତ ୬ ତାରିଖରେ ଭୁବନେଶ୍ୱର ଏମ୍ସ ରେଫର କରାଯାଇଥିଲା ।
ହେଲେ ଏହାପରେ ଗତକାଲି ବିଷ ପିଇଥିବା ଅବସ୍ଥାରେ ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏସସିବିକୁ ରେଫର କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା। ଆମ ତରଫରୁ ଆମେ ବେଷ୍ଟ ଦେଇଛୁ । ସେ ଚାହୁଁଥିଲେ ମୋ ଗୋଡ଼ ୧୦୦% ଭଲ ହେଉ। ଏହା ସମୟସାପେକ୍ଷ ଥିଲା। ଆଉ କିଛି ସମୟ ସେ ଅପେକ୍ଷା କରିଥିଲେ ଭଲ ହୋଇଥାନ୍ତା। ତେବେ ଦୁଷ୍ମନ୍ତ ଆଣିଥିବା ଅଭିଯୋଗର ତଦନ୍ତ ହେବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।


Leave A Reply

Your email address will not be published.