ବିଧାନସଭା ରେ ଉଠିଲା ସୌମ୍ୟରଂଜନ ମୃତ୍ୟୁ ମାମଲା ପ୍ରସଙ୍ଗ

21

ଆଜି ବିଧାନସଭା ରେ ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ କୁ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ। ସେ କହିଛନ୍ତି ଘଟଣା ଘଟିବାର ୨ ମାସ ପରେ କାହିଁକି ସତ ପଦାକୁ ଆସିପାରୁନି ? ମୃତ୍ୟୁ ଷଡ଼ଯନ୍ତ୍ରରେ ନାମ ଉଠିଥିବା ଡିଏଫଓଙ୍କୁ ସୁରକ୍ଷା ଦେଉଛି କିଏ ? ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ କାହିଁକି ହୋଇପାରୁନି ବୋଲି ଶ୍ରୀ ରାଓ ପ୍ରଶ୍ନ କରିଛନ୍ତି। ଆଜି ଏନେଇ ଗୃହରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଏହି ମାମଲାରେ ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି,ତଥାପି କାହିଁକି ଏ ଯାଏ କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା I
ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏଏସିଏଫଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କୁ ଜେରା କରାଗଲା । ହେଲେ ଥାନାରେ ନ ଡାକି ଘରେ ପଚରାଉଚରା କରାଯାଇଥିଲା କାହିଁକି ?? ଖାଲି ଏତିକି ନୁହେଁ ଏହି ମାମଲାରେ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଥିବା କହିଛନ୍ତି ବିଧାୟକ। ଗଜପତି ଜିଲ୍ଲାର ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି ହେଉଛି। ପଡ଼ୋଶୀ ରାଜ୍ୟକୁ ଏସବୁ ଚାଲାଣ କରାଯାଉଛି। ତେବେ ଡିଏଫ୍ଓ କଣ ଏସମ୍ପର୍କରେ ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ସମସ୍ତ ଘଟଣାକୁ ଦେଖିଲେ ଲାଗୁଛି ରାଜ୍ୟ ସରକାର ଡିଏଫ୍ଓଙ୍କୁ ସୁରକ୍ଷା ଦେଉଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି। ତେଣୁ ସତ ଘଟଣା ସାମ୍ନାକୁ ଆସୁ ବୋଲି ପାରଳାଖେମୁଣ୍ଡି ବିଧାୟକ ଗୃହରେ ଦାବି କରିଛନ୍ତି।

ଇତି ମଧ୍ୟରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ରହସ୍ୟର ପରଦା ହଟି ନଥିବା ବେଳେ,ଡ଼ିଏଫଓ ଙ୍କର ପୂର୍ବତ୍ତନ ରାତ୍ରି ଜଗୁଆଳି (ନିଲମ୍ବିତ) ଗଙ୍ଗା ପ୍ରଧାନ ନାମକ ଜଣେ ଯୁବକ ସାମ୍ନାକୁ ଆସିଥିଲେ। ସେ ଗଣମାଧ୍ୟମ ସମ୍ମୁଖରେ ଏକ ଚାଞ୍ଚଲ୍ୟକର ଖୁଲାସା କରି କହିଛନ୍ତି , ଯେ ରାତି ସାଢ଼େ ୧୨ଟାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରକୁ ଯିବାର ସେ ଦେଖିଛନ୍ତି। ଥରୁଟିଏ ସେ ଡିଏଫ୍‌ଓଙ୍କୁ ସେଠାକୁ ଯିବାର ଦେଖିଛନ୍ତି। ତେବେ ସେତେବେଳେ ସୌମ୍ୟରଞ୍ଜନ ମହାପାତ୍ର ଘରେ ଥିଲେ କି ନାଇଟ୍ ଡ୍ୟୁଟିରେ ଯାଇଥିଲେ, ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

ସେହିଭଳି ସେ ଆଉ ଏକ ବିସ୍ଫୋରକ କଥା କହିଛନ୍ତି। ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରରତୀ ପଣ୍ଡାଙ୍କୁ ପ୍ରଥମ ଥର ପାଇଁ ଘଟଣା ଦିନ ହସ୍‌ପିଟାଲ୍‌ରେ ଦେଖିଥିଲେ ବୋଲି ଡିଏଫଓ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ପୂରା ମିଛ ବୋଲି ଗଙ୍ଗା କହିଛନ୍ତି। ସେ କହିଛନ୍ତି, ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ସକାଳେ ଏବଂ ସନ୍ଧ୍ୟାରେ ଚାଲି ଗଲା ବେଳେ ଡିଏଫ୍‌ଓ ତାଙ୍କ ଘରୁ ଥାଇ ସେମାନଙ୍କୁ ଦେଖୁଥିଲେ। ଡ଼ିଏଫଓ ଓ ବିଦ୍ୟା ଭାରତୀ ଙ୍କ ସମ୍ପର୍କ ବିଷୟରେ ଅଫିସ ରେ ସମସ୍ତ କର୍ମଚାରୀ ଅବଗତ ଅଛନ୍ତି ହେଲେ ଡ଼ିଏଫଓ ଙ୍କ ଡରରେ କେହି ମୁହଁ ଖୋଲୁ ନାହାନ୍ତି ବୋଲି ଗଙ୍ଗା ପ୍ରଧାନ କହିଛନ୍ତି

ଗଙ୍ଗା ପ୍ରଧାନ ଗଜପତି ଡିଏଫଓ ଅଫିସରେ ଜଗୁଆଳି ଭାବେ କାମ କରୁଥିଲେ। ବିନା କାରଣରେ ୭/୮ ମାସ ତଳେ ତାଙ୍କୁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଚାକିରିରୁ ବାହାର କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଏସିଏଫ୍‌ଙ୍କ ଘରକୁ ସେ ସେଦିନ ରାତିରେ ଯିବାର ଦେଖି ଦେଇଥିବାରୁ ଡିଏଫ୍‌ଓ ତାଙ୍କୁ ଚାକିରିରୁ କାଢ଼ି ଦେଇଥିଲେ।

ଅନ୍ୟପଟେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ,ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଗଜପତି ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା । ମାତ୍ର ଏବେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଯୋଗୁଁ ଆମ ଜିଲ୍ଲା ଉଠୁଛି ପଡୁଛି ।ତେବେ ସରକାର ଜାଣିଶୁଣି ଡିଏଫଓଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ ଆଣିଛନ୍ତି ।ସେ ଆହୁରି କହିଛନ୍ତି ଯେ ଘଟଣା ର ସଠିକ ଅନୁସନ୍ଧାନ କରି କ୍ରାଇମବ୍ରାଞ୍ଚ ଅତି ଶୀଘ୍ର ସତ୍ୟ ଉନ୍ମୋଚନ କରୁ I

Leave A Reply

Your email address will not be published.