ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱରରେ ରୋଡ୍ ଶୋ’

109

ଭୁବନେଶ୍ୱର: କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ରୋଡ୍ ଶୋ’ କରିଛନ୍ତି । ମୋଦୀଙ୍କ ସହିତ ଖୋଲା ଚାରିଚକିଆ ମୋଟର ଗାଡ଼ିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ରୋଡ୍ ଶୋ’ରେ ହଜାର ହଜାର ଲୋକ ରାସ୍ତାର ଦୁଇ ପାଶ୍ୱର୍ରେ ଛିଡ଼ା ହୋଇ ମୋଦିଜୀଙ୍କୁ ସ୍ୱାଗତ ଜଣାଇଥିଲେ । ମୋଦୀ ଗ୍ୟାରେଣ୍ଟି ନେଇ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ସଂନ୍ଧ୍ୟାରେ ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଥିଲା । ସେଠାରୁ ସେ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ । ସେଠାରୁ ବିରାଟ ରୋଡ୍ ଶୋ’ରେ ଯୋଗଦେଇଥିଲେ । ଏହି ରୋଡ୍ ଶୋ’ ସନ୍ଧ୍ୟା ୮ଟାରେ ରାଜ୍ୟ ବିଜେପି କାର୍ଯ୍ୟଳୟରୁ ବାହାରି ବାଣୀବିହାରଠାରେ ପହଞ୍ଚିଥିଲା । ମୋଦୀଙ୍କ ରୋଡ୍ ଶୋ’ ପାଇଁ ଜନପଥର ଦୁଇ ପାର୍ଶ୍ୱ ଓଡ଼ିଶାର କଳା ଓ ସଂସ୍କୃତି ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଝଲସିଥିଲା । ରାମମନ୍ଦିରରୁ ବାଣୀବିହାର ମଧ୍ୟରେ ୧୦ ସ୍ଥାନରେ ଏହିଭଳି ୧୦ଟି ଆଇକନ୍ ମଣ୍ଡପ ସ୍ଥାପନ କରାଯାଇଥିଲା । ମହିଳାମାନେ ହୁଳହୁଳି ପକାଉଥିବା ବେଳେ ଉପସ୍ଥିତ କଳାକାରମାନେ ଝାଞ୍ଜ ଓ ମୃଦଙ୍ଗ ବଜାଇ ସାହିଯାତ ପ୍ରଦର୍ଶିତ କରିଥିଲେ । ରାମମନ୍ଦିର ପରିସରରେ ୨୦ ଜଣ ପୂଜକଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ସହ ଆଳତୀ କରାଯାଇଥିଲା । ରାମମନ୍ଦିରର ଡାହାଣ ପାଶ୍ୱର୍ରେ ରାମଲାଲାଙ୍କ ବିରାଟ୍ କଟ୍‌ଆଉଟ୍ ଥିଲା । ସେହିପରି କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ଉପରପାର୍ଶ୍ୱକୁ ନେଇ ତିଆରି ହୋଇଥିଲା ବିରାଟ୍ ଷ୍ଟେଜ୍ । ସାରା ଦେଶ ତଥା ରାଜ୍ୟରୁ ବହୁ ଛାମୁଆଁ ବିଜେପି ନେତା ଓ କର୍ମୀ ମୋଦୀଙ୍କ ଏହି ରୋଡ୍ ଶୋ’ରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ପୁଲିସ୍ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଥିଲା । ୫ ଡିସିପିଙ୍କ ନେତୃତ୍ୱରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଭୁବନେଶ୍ୱରରେ ପହଞ୍ଚିଥିଲେ ବ୍ଲାକ୍ କ୍ୟାଟ୍ କମାଣ୍ଡୋ । ରୋଡ୍ ଶୋ’ ପାଇଁ ଅପରାହ୍ନ ୨ଟାରୁ ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ରାସ୍ତା(ଜନପଥ) ସିଲ୍ ହୋଇଥିଲା । ରୋଡ୍ ଶୋ’ ଶେଷ କରି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରିଯାପନ କରିଛନ୍ତି । ଶନିବାର ଅର୍ଥାତ୍ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ରେ ସେ କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଫୁଲବାଣୀ ଷ୍ଟାଡିୟମ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ସେହିପରି ପୂର୍ବାହ୍ନ ସାଢ଼େ ୧୧ରେ ମୋଦୀ ବଲାଙ୍ଗୀର ଠାରେ ଓ ଅପରାହ୍ନ ୧ଟା ୩୦ରେ ବରଗଡ଼ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।

Leave A Reply

Your email address will not be published.