ହିନ୍ଦୁ ବିବାହ ଉପରେ ସୁପ୍ରିମ କୋର୍ଟ ବଡ ରାଏ

32

ନୂଆଦିଲ୍ଳୀ: ହିନ୍ଦୁ ବିବାହକୁ ନେଇ କିଛି  ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । ହିନ୍ଦୁ ବିବାହ କେବଳ ନାଚଗୀତ, ଭୋଜିଭାତ ଓ ମଜାମସ୍ତି କରିବାର ଉତ୍ସବ ନୁହେଁ । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଏକ ପବିତ୍ର ଅନୁଷ୍ଠାନ । ସାତ ଫେରା ବିନା ଯଦି କୌଣସି ବିବାହ ହେଉଛି ତାହାଲେ ସେ ବିବାହ ବୈଧ ନୁହେଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ସୁପ୍ରିମ କୋର୍ଟ। କୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ କେବଳ ପଞ୍ଜିକରଣ ବିବାହକୁ ଆଇନଗତ କରେ ନାହିଁ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ନାଗରତ୍ନା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଖଣ୍ଡପୀଠରେ ବିବାହରୁ ନେଇ ଦାୟର ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ।

ଜଷ୍ଟିସ୍ ନାଗରତ୍ନା କହିଛନ୍ତି, ହିନ୍ଦୁ ବିବାହ ଏକ ସାମାଜିକ ମାନ୍ୟତା ଓ ସଂସ୍କାର ଅଟେ । ତେଣୁ, ଆମେ ଆଜିକାଲିର ଯୁବପିଢିଙ୍କୁ ଅନୁରୋଧ କରୁଛୁ ଯେ ବିବାହ କରିବା ପୂର୍ବରୁ ଭାରତୀୟ ହିନ୍ଦୁ ବିବାହର ପରମ୍ପରା ଓ ଏହାର ପବିତ୍ରତା ବିଷୟରେ ଜାଣିବା ନିହାତି ଆବଶ୍ୟକ । ସୁପ୍ରିମକୋର୍ଟ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ ହିନ୍ଦୁ ବିବାହକୁ ବୈଧ ଘୋଷଣା ନିମନ୍ତେ ଆଇନଗତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭବିଷ୍ୟତରେ ବିବାହକୁ ନେଇ କୌଣସି ଆଇନଗତ ସମସ୍ୟା ଦେଖାଦେଲେ ଏହି ସବୁ ପ୍ରମାଣକୁ ଗୁରୁତ୍ୱାରୋପ କରାଯିବ ବୋଲି କହିଛନ୍ତି ବିଚାରପତି ବି. ନାଗରତ୍ନା ।ବିବାହ କେବଳ ଯୌତୁକ ଦେବା ନେବାର ଉତ୍ସବ ନୁହେଁ। ନା କି କୌଣସି ବ୍ୟବସାୟିକ କାରବାର  ଏହା ଏପରି ଏକ ଅନୁଷ୍ଠାନ ଯାହା ଏକ ପୁରୁଷ ଏବଂ ସ୍ତ୍ରୀ ପବିତ୍ର ବନ୍ଦନରେ ସାରା ଜୀବନ ବାନ୍ଧି ହୋଇ ରହିଥାଆନ୍ତି । ନିଜର ଆଗାମୀ ପରିବାର ବିକଶିତ କରିଥାନ୍ତି। ତେଣୁ ବିବାହ ସମୟରେ ଏହାର ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ସହ ସମସ୍ତ ନୀତିନୀୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Comments are closed, but trackbacks and pingbacks are open.