ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ -ଏସଆରସି

186

ଭୁବନେଶ୍ୱର : ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହାରି ମଧ୍ୟରେ ଆଜି ରାଜ୍ୟର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଘଟିଛି I ଏନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି I ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ I ବୟସ ୬୨ I ତେବେ ଏହା ପୂର୍ବରୁ ଏପ୍ରିଲ ପ୍ରଥମ ସପ୍ତାହରେ ଅଂଶୁଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା I ମାତ୍ର ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଅଂଶୁଘାତ ଜନିତ ମୃତ୍ୟୁ ନୁହେଁ ବୋଲି ଜଣାପଡିଥିଲା I

ସୂଚନାନୁସାରେ,ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଆଜି ସକାଳ ୮ ଟା ୩୫ ଡିଗ୍ରୀ ଖରା ସହ ତାଳଚେର ସବୁଠାରୁ ଉତପ୍ତ ସହର ଥିଲା I ସେହିପରି ଦିନ ତାପମାତ୍ରା ଅନୁସାରେ ୪୪.୩ ଡିଗ୍ରୀ ପାରଦ ସହ ବୌଦ୍ଧ ପାଲଟି ଥିଲା ଉତପ୍ତ ନଗରୀ I ଅନ୍ୟପଟେ ୧୦ ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୧.୩ ଡିଗ୍ରୀ ରେକର୍ଡ କରାଯାଇଥିଲା I

ବେଳକୁ ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଅନ୍ୟପଟେ ଏଭଳି ସ୍ଥିତି ଆସନ୍ତାକାଲି ମଧ୍ୟ ରହିବ। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ଟିକେ ହ୍ରାସ ପାଇପାରେ। କିନ୍ତୁ ୨୫ ତାରିଖରୁ ପୁଣି ବଢ଼ିବ ପାରଦ।

Comments are closed, but trackbacks and pingbacks are open.