ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସେବା କରିବି; କଙ୍ଗନା

340

ମାଣ୍ଡି: ଦେଶରେ ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି । ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତୀକ ଦଳ ଏବେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ । ବାଜି ହାତେଇବାକୁ ଚାଲିଛି ଜୋରଦାର ଲଢେଇ । ସେପଟେ ନେତାମାନେ ସେମାନଙ୍କର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯିବାରେ ଲାଗିଛନ୍ତି । ସମସ୍ତ ରାଜନୈତୀକ ଦଳମାନେ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଥିବାବେଳେ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ରାଲି ଏବଂ ସଭା ମାଧ୍ୟମରେ ସେମାନଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରୁଛନ୍ତି। ଏହି ସମୟରେ ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ମାଣ୍ଡିର ଲୋକଙ୍କୁ ସମ୍ବୋଧିତ କରି କଙ୍ଗନା କହିଛନ୍ତି ଯେ, ମୋତେ ଆପଣମାନେ ଏଠି ଏକ ଅଭିନେତ୍ରୀ ଭାବରେ ନୁହେଁ ବରଂ ଆପଣଙ୍କ ଭଉଣୀ, ଝିଅ ବୋଲି ଭାବନ୍ତୁ ।

ମାଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ କହିଛନ୍ତି ଯେ, ମୋତେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ମିଳିଛି । ଏଥିପାଇଁ ମୋ ଖୁସିର ସୀମା କହିଲେ ନ ସରେ । ନିଜ ଘର, ନିଜ ଦେଶ ଏବଂ ନିଜ ଲୋକଙ୍କ ପାଖକୁ ଆସି କିଏ ବା ଖୁସି ନହେବ । ହିମାଚଳ ଭାଷାରେ ଲୋକଙ୍କ ସହ କଥା ହୋଇ କଙ୍ଗନା କହିଛନ୍ତି ଯେ, ଆପଣ ଏହା ଭାବନ୍ତୁ ନାହିଁ ଯେ, ଇଏ ତ ଜଣେ ଅଭିନେତ୍ରୀ, ନିର୍ବାଚନ ପରେ ଏହି ସ୍ଥାନ ଛାଡି ମୁମ୍ବାଇ ଚାଲିଯିବ । ସେପରି କେବେବି ହେବ ନାହିଁ । କାରଣ ହିମାଚଳ ପ୍ରଦେଶ ମୋର ଘର ଏବଂ ମୁଁ ଏଠାରେ ଜନ୍ମ ହୋଇଛି ଏଠାରେ ବଢିଛି । ମୁଁ ତୁମମାନଙ୍କ ସହ ଏଠାରେ ହିଁ ରହିବି । ଏବଂ ତୁମ ମାନଙ୍କ ଭିତରେ ରହି ତୁମ ମାନଙ୍କର ସେବା କରିବି ।

କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ, ମାଣ୍ଡି ଲୋକଙ୍କ ପାଇଁ ମୋର ଦ୍ୱାର ସବୁବେଳେ ଖୋଲା ଅଛି । ଯେକେହି ବି ଯେକୌଣସି ସମୟରେ ମୋ ପାଖକୁ ଆସି ପାରିବ । ଫୋନରେ ମୋ ସହ କଥା ମଧ୍ୟ ହୋଇପାରିବ । ଆଜି ଆମେ ଆମ ନିର୍ବାଚନ ପ୍ରଚାରର ଶଙ୍ଖନାଦ କରିଛୁ । ମୁଁ ଏଠାକାର ଝିଅ । ସମଗ୍ର ଭାରତ ମୋ ପାଇଁ ସର୍ବଦା ଗର୍ବିତ । ମୁଁ ଲୋକମାନଙ୍କଠାରୁ ବହୁତ ଭଲ ପାଇବା ପାଇଛି । ମୁଁ ଚାହୁଁଛି ମାଣ୍ଡିର ଜନତା ସେହି ଲୋକମାନଙ୍କୁ କଡା ଜବାବ୍ ଦିଅନ୍ତୁ ଯେଉଁମାନେ ମାଣ୍ଡିର ଝିଅ, ଭଉଣୀଙ୍କ ବିଷୟରେ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି । ସେପରି ଲୋକମାନେ ଏବେ ଠାରୁ କଡା ଜବାବ୍ ପାଇବେ ।

Comments are closed, but trackbacks and pingbacks are open.