୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

35

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର ମହିଳାମାନେ ଚରମ ଅବହେଳାର ଶିକାର ହୋଇଛନ୍ତି ଏବଂ ଏହାର ପ୍ରତିକାର ପାଇଁ ସରକାର ସଂପୂର୍ଣ୍ଣ ଭାବରେ ଉଦାସୀନ ଅଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା କଥା କହି ରାଜ୍ୟ ସରକାର ସେମାନଙ୍କୁ କେବଳ ଭୋଟ ସର୍ବସ୍ୱ ରାଜନୀତିର ଏକ ଅଂଶବିଶେଷ ରୂପେ ବିବେଚନ କରୁଥିବାରୁ ତାଙ୍କୁ କଟୁ ସମାଲୋଚନା କରିଥିଲେ ।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ପ୍ରତି ଲଗାତାର ଭାବେ ଦୀର୍ଘ ୨୪ବର୍ଷ ଧରି ହେଉଥିବା ଅନ୍ୟାୟ ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନପାଇଁ ଆହ୍ୱାନ ଦେବା ସହିତ ଆସନ୍ତା ୨୧ ତାରିଖରେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କ ଉପସ୍ଥିତିରେ ଏହି ବିଶାଳ ମହିଳା ସମାବେଶର ଆୟୋଜନ କଥା ଘୋଷଣା କରିଛନ୍ତି ।

ସେହିଦିନ ରାଜ୍ୟର ମହିଳମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ନବୀନ ନିବାସ ଘେରାଉ କରାଯିବା ସହିତ ସରକାରଙ୍କ ଉଦାସୀନତା ବିରୁଦ୍ଧରେ ଓଡ଼ିଶାର ପୂରପଲ୍ଲୀରେ ବଡ଼ ଧରଣର ମହିଳା ଆନ୍ଦୋଳନ କରାଯିବ । ଆଜି ଓଡ଼ିଶାରେ ପ୍ରତ୍ୟେକ ଦିନ ୭ ଜଣ ମହିଳା ଦୁର୍ଷ୍କମର ଶିକାର ହେଉଛନ୍ତି । ରକ୍ତହୀନତା ଓ ଅପପୃଷ୍ଟିରେ ମହିଳା ଓ ଶିଶୁମାନଙ୍କ ସଂଖ୍ୟା ୬୪ ପ୍ରତିଶତରୁ ଅଧିକା ।

ଏ ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ନିଜର ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରିବା ବ୍ୟତିତ ସେମାନଙ୍କର ସାମଗ୍ରିକ ବିକାଶ ପ୍ରତି ସଂପୂର୍ଣ୍ଣ ଭାବରେ ଉଦାସୀନ ରହିବା ଅତ୍ୟନ୍ତ ନିନ୍ଦନିୟ ବୋଲି ଶ୍ରମତୀ ବାହିନୀପତି କହିଥିଲେ । ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ଉତ୍କଟ ଦରବୃଦ୍ଧି ହେତୁ ହାଣ୍ଡିଶାଳ ଉପରେ ହେଉଥିବା କୋରଡ଼ାମାଡ଼କୁ ନେଇ ସାଧାରଣ ଗୃହିଣୀଟିଏ ତ୍ରସ୍ତ ଅବସ୍ଥାରେ ଅଛନ୍ତି ବୋଲି ଶ୍ରୀମତୀ ବାହିନୀପତି କ୍ଷୋଭ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ରାଜ୍ୟର ମହିଳମାନଙ୍କୁ ନିବେଦନ କରିଛନ୍ତି ଶ୍ରୀମତୀ ବାହିନୀପତି ।

Comments are closed, but trackbacks and pingbacks are open.