ବିଶ୍ୱର ସବୁ ରାଷ୍ଟ୍ର ସହ ତାଲିବାନ ଭଲ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି

0 101

ଫଗାନିସ୍ତାନ ଦଖଲ ପରେ ଭାରତ ସହ ତାଲିବାନର ସମ୍ପର୍କ କେମିତି ରହିବ, ତା’କୁ ନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି। ଏସବୁ ଭିତରେ ତାଲିବାନ ପକ୍ଷରୁ ବଡ଼ ବୟାନ ଦିଆଯାଇଛି ଯେ ଭାରତ ସମେତ ବିଶ୍ୱର ସବୁ ରାଷ୍ଟ୍ର ସହ ତାଲିବାନ ଭଲ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି।
ଆଫଗାନ ମାଟିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ କେବେ ହେଲେ ଦିଆଯିବ ନାହିଁ ବୋଲି ତାଲିବାନର ମୁଖପାତ୍ର ଜୈବହୁଲ୍ଲା ମୁଜାହିଦ ଦମ୍ଭୋକ୍ତି କରିଛନ୍ତି। ଏଥିସହ ତାଲିବାନ ସବୁବେଳେ ଭାରତକୁ ଏହି ରିଜିଅନ ର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ବିବେଚନା କରିଥାଏ ବୋଲି ସେ କହିଛନ୍ତି।
ପାକିସ୍ତାନର ଗୋଟିଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ମୁଜାହିଦ କହିଛନ୍ତି, “ଆମେ ଭାରତ ସମେତ ସବୁ ଦେଶ ସହ ଭଲ ସମ୍ପର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛୁ। ଆଫଗାନବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ଭାରତ ତା’ର ନୀତି ନିର୍ଦ୍ଧାରଣ କରୁ ବୋଲି ଆମର ଇଚ୍ଛା। ଭାରତ ସହ ସମ୍ପର୍କ ଖରାପ କରିବାକୁ ଆମେ କେବେ ହେଲେ ଚାହିଁବୁ ନାହିଁ।”
ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ବିଭିନ୍ନ ଆତଙ୍କୀ ସଂଗଠନ ଶୁଭେଚ୍ଛା ଜଣାଇଥିଲେ। ସମ୍ଭବତଃ ସେମାନେ ବିଭିନ୍ନ ରାଷ୍ଟ୍ର ବିପକ୍ଷରେ ତାଲିବାନ ଜରିଆରେ ଆଫଗାନ ମାଟିକୁ ବ୍ୟବହାର କରିବେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। ଏ ସଂକ୍ରାନ୍ତ ପ୍ରଶ୍ନରେ ମୁଜାହିଦ କହିଛନ୍ତି, ଆମେ ପୂର୍ବରୁ କହି ସାରିଛୁ ଓ ଏବେ ଆଉ ଥରେ କହୁଛୁ ଯେ କେବେ ହେଲେ ‍ଆଫଗାନ ମାଟିକୁ କୌଣସି ରାଷ୍ଟ୍ର ବିରୋଧରେ ବ୍ୟବହାର କରିବାକୁ ଅନୁମତି ଦେବୁନି। ଆମ ନୀତି ପୂରା ସ୍ପଷ୍ଟ। ତେଣୁ ଏଥିରେ କେହି ବି କିଛି ଦ୍ୱନ୍ଦ୍ୱ ପ୍ରକାଶ କରିବା କଥା ନୁହେଁ ବୋଲି ସେ କହିଛନ୍ତି।
ମୁଜାହିଦ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ସମ୍ପର୍କରେ ମତ ରଖି କହିଛନ୍ତି ଯେ ଉଭୟ ଦେଶ ଏକାଠି ବସି ବିବାଦର ସମାଧାନ କରିବା ଉଚିତ। କାରଣ ଉଭୟ ପରସ୍ପରର ପଡ଼ୋଶୀ ଓ ଦୁଇ ଦେଶର ସ୍ୱାର୍ଥ ପରସ୍ପର ଉପରେ ନିର୍ଭର କରୁଛି।

Leave A Reply

Your email address will not be published.