ଇସ୍ରାଏଲ ଆକ୍ରମଣରେ ଗାଜାରେ ୬୩ ସାମ୍ବାଦିକଙ୍କ ମୃତ୍ୟୁ

26

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ସୁରକ୍ଷା କମିଟି ସୋମବାର ସେମାନଙ୍କର ସଦ୍ୟତମ ମୃତ୍ୟୁ ସଂଖ୍ୟା ଅପଡେଟ୍‌ ଜାରି କରିଛି। ଏହି ସଂସ୍ଥା ୧୯୯୨ ମସିହାରୁ ସାମ୍ବାଦିକଙ୍କ ମୃତ୍ୟୁର ହିସାବ ରଖିବା ଆରମ୍ଭ କରିଥିଲା। ବିବିସିର ରିପୋର୍ଟ ଅନୁଯାୟୀ, ଏହି ସଂସ୍ଥା କହିଛିି ଯେ ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସେମାନଙ୍କ ପାଇଁ ସବୁଠାରୁ ମାରାତ୍ମକ ଭାବେ ସାବ୍ୟସ୍ତ ହୋଇଛି।ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡିସେମ୍ବର ୪ ସୁଦ୍ଧା ଅତି କମରେ ୬୩ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ କର୍ମୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ୫୬ ପାଲେଷ୍ଟାଇନ, ୪ ଇସ୍ରାଏଲ ଏବଂ ୩ ଲେବନାନ ସାମ୍ବାଦିକ ଆହତ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ ୧୧ ଜଣ ସାମ୍ବାଦିକ ଆହତ ହୋଇଥିବା ବେଳେ ୩ ଜଣ ନିଖୋଜ ଓ ୧୯ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସାମ୍ବାଦିକମାନଙ୍କ ଉପରେ ଏକାଧିକ ଆକ୍ରମଣ, ଧମକ, ସାଇବର ଆକ୍ରମଣ, ସେନ୍‌ସରସିପ୍‌ ଏବଂ ପରିବାର ସଦସ୍ୟଙ୍କୁ ହତ୍ୟା ମଧ୍ୟ କରାଯାଇଛି ବୋଲି ସଂସ୍ଥା କହିଛି।

ଅକ୍ଟୋବର ୭ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୧୬,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଗାଜା ଓ ପଶ୍ଚିମ ତଟରେ ୧୫,୮୦୦ରୁ ଅଧିକ ଏବଂ ଇସ୍ରାଏଲରେ ୧,୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।ସାମ୍ବାଦିକମାନଙ୍କ ପାଇଁ ଯୁଦ୍ଧର ସବୁଠାରୁ ମାରାତ୍ମକ ଦିନ ଥିଲା ଯୁଦ୍ଧର ପ୍ରଥମ ଦିନ ଅକ୍ଟୋବର ୭, ଯେଉଁଦିନ ୬ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ଦ୍ୱିତୀୟ ସବୁଠାରୁ ମାରାତ୍ମକ ଦିନ ଥିଲା ନଭେମ୍ବର ୧୮, ଯେଉଁଦିନ ୫ ଜଣ ସାମ୍ବାଦିକ ପ୍ରାଣ ହରାଇଥିଲେ।

Comments are closed, but trackbacks and pingbacks are open.