ପୁରୀରେ ହବିଷ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

450

୩ ହଜାରରୁ ଅଧିକ ହବିଷ୍ୟାଳି ମାନଙ୍କ ରହିବାର ବ୍ୟବସ୍ଥା

ମା ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଲେ ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ – ମୁଖ୍ୟମନ୍ତ୍ରୀ

ବ୍ରତ ପାଇଁ ମୁଖ୍ୟମନ୍ତ୍ରୀ ଆମର ସବୁ ସୁବିଧା କରିଛନ୍ତି, ଶାନ୍ତି ଓ ଶ୍ରଦ୍ଧାରେ ବ୍ରତ କରୁଛୁ – ଆନନ୍ଦ ପ୍ରକାଶ କରି ହବିଶ୍ୟାଳି ମା ମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କଲେ

ଭୁବନେଶ୍ୱର:ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେଶିଂ ଜରିଆରେ ପୁରୀରେ ହବିଷ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷ୍ୟାଳି ମାନେ ଏକତ୍ରିତ ହୋଇଛନ୍ତି। ବ୍ରତ ପାଇଁ ହବିଷ୍ୟାଳି ମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଭଲରେ ବ୍ରତ କରନ୍ତୁ, ଶାନ୍ତିରେ ବ୍ରତ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ । ଆପଣମାନେ ଆଶୀର୍ବାଦ ପାଇଲେ, ସାରା ଓଡିଶାକୁ ଆଶୀର୍ବାଦ ମିଳିବ I

କାର୍ତ୍ତିକ ମାସ ଧର୍ମ ମାସ,ଏ ମାସରେ ମା ମାନେ ଆନନ୍ଦରେ ବ୍ରତ ପାଳନ କରିବେ । ୩୦୦୦ରୁ ଅଧିକ ମା’ଙ୍କ ରହିବା ପାଇଁ ତଥା ମହାପ୍ରଭୁଙ୍କ ଦର୍ଶନ,ମହାପ୍ରସାଦ ସେବନ – ପାଇଁ ବ୍ୟବସ୍ଥା ହୋଇଛି । ଆପଣମାନଙ୍କ ସେବା ପାଇଁ ଜିଲ୍ଲାପ୍ରଶାସନ ପୁରା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମା ମାନଙ୍କ ପାଇଁ ସବୁ ସୁବିଧା ହୋଇ ପାରିଛି। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା କହିଲେ ଯେ ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସୁଚନା ଯୋଗ୍ୟ ଯେ ପୁରୀରେ କାର୍ତ୍ତିକ ମାସରେ ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଆସିଥାନ୍ତି। ସେମାନଙ୍କ ଅସୁବିଧାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ୨୦୧୬ରୁ ହବିଷ୍ୟାଳି ଯୋଜନା ଆରମ୍ଭ କରିଛନ୍ତି।ଗତ ବର୍ଷ ଠାରୁ ସେମାନଙ୍କ ରହିବାର ସୁବିଧା ପାଇଁ ସାତ ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯାଇଛି। ଏହା ବୃନ୍ଦାବତୀ ନିବାସ ନାମରେ ନାମିତ। ଏଠାରେ ରହି ମା ମାନେ ରାଇ ଦାମୋଦର ବ୍ରତ କରିଥାନ୍ତି। ପୁରୀରେ ହବିଶ୍ୟାଳି ମାନଙ୍କ ରହିବା ପାଇଁ ଏହା ସହିତ ବଗଲା ଧର୍ମଶାଳା, ବାଗିଡିଆ ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ରେ ମଧ୍ୟ ବ୍ୟବସ୍ଥା କରାଯାଇଛି।

Comments are closed, but trackbacks and pingbacks are open.