୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉଦ୍ଦ୍‍ଘାଟନୀ ଉତ୍ସବ, ଓଡ଼ିଶୀ ନୃତ୍ୟ ସହିତ ମନ ମୋହିଲା ସନ୍ତୁର, ବଂଶୀ ଓ ତବଲା ବାଦନ

261

ଭୁବନେଶ୍ୱର ୨୬-୧୦ : ଉଦଘାଟନ ହେଲା ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ I ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଭୁବନେଶ୍ୱରର ସୁନାମଧନ୍ୟ ଓଡିଶୀ ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ଦ୍ୱାରା ଏହି ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ ।


ତ୍ରିଧାରା ଏକ ଅଗ୍ରଣୀ ଅନୁଷ୍ଠାନ ଯାହା ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ସମର୍ଥନ କରିଆସୁଅଛି । ଏହି ପୁରସ୍କାର ଉତ୍ସବ ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି, ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ କିମ୍ବଦନ୍ତୀ ଗୁରୁ ତଥା ଯୁବଶିଳ୍ପୀମାନଙ୍କୁ ସମ୍ମାନ ପ୍ରଦାନ କରିବା ତଥା ସୋନଙ୍କର କଳାର ପ୍ରଚାର ଓ ପ୍ରସାର କରିବା ଏଥିସହିତ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର ଆଦିବାସୀ ନୃତ୍ୟ, ଲୋକ ନୃତ୍ୟ,ପାରମ୍ପରିକ ନୃତ୍ୟ କ୍ଷେତ୍ରରେ ଗୁରୁ ଦେବପ୍ରସାଦ ଦାସଙ୍କ ଘରାନାକୁ ପ୍ରସାରିତ କରିବା ।

ପ୍ରାରମ୍ଭରେ ସମ୍ମାନିତ ଅତିଥିଙ୍କ ଦ୍ୱାରା କିମ୍ବଦନ୍ତି ଚିତ୍ରଶିଳ୍ପୀ, ପଥରଶିଳ୍ପୀ ଓ ବ୍ୟଙ୍ଗାତ୍ମକ ଚିତ୍ରଶିଳ୍ପୀ ଯତିନ୍‍ ଦାସ (ପଦ୍ମଭୂଷଣ)ଙ୍କୁ ଆଜୀବନ ଚିତ୍ରକଳା ସାଧନା ନିମନ୍ତେ ଗୁରୁ ଦେବପ୍ରସାଦ ଲାଇଫଟାଇମ୍‍ ଆଚିଭମେଣ୍ଟ ଆୱାଡ଼ ୨୦୨୩ ପ୍ରଦାନ କରାଯାଇଥିଲା ।
ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେମାନଙ୍କର ପ୍ରସ୍ତୁତିରେ ଥିଲା ରାମ କଥାମୃତମ୍‍ । ତୁଳସୀ ଦାସଙ୍କ ରାମ ଚରିତ ମାନସରୁ ଉଦ୍ଧୃତ ଏହି ରାମ କଥାମୃତମ୍‍ଟିକୁ ତିନିଗୋଟି ପର୍ଯ୍ୟାୟରେ ପରିବେସିତ ହୋଇଥିଲା ।

ପ୍ରଥମେ ମଙ୍ଗଳାଚରଣ ଶ୍ରୀ ରାମ ଧ୍ୟାନ ଯାହା ରାଗ ଅଭିରୀ ଏବଂ ମଧ୍ୟମାଦୀ ଉପରେ ନିବଦ୍ଧ ଥିଲା ପରେ ପରେ ଶୁଦ୍ଧନୃତ୍ୟ ସ୍ଥାୟୀ ଯାହା ରାଗ ମଧୁକୀରୀ ଉପରେ ପର୍ଯ୍ୟବେସିତ ଥିଲା । ଶେଷରେ ନୃତ୍ୟାଭିନୟ ସୀତା ସ୍ୱୟମ୍ବର ଯାହା ରାଗ ଘନକେଶୀ ଉପରେ ନିବଦ୍ଧ ଥିଲା । ଏହି ରାମ କଥାମୃତମ୍‍ ନୃତ୍ୟଟିର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ଶବ୍ଦ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା । ତ୍ରିଧାରାର ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟାନୁଗ୍ରହ, ଶରୀରର ଗତିବିଧି ଦ୍ୱାରା ଚମତ୍କାର ପରିବେଷଣ ଏବଂ ଚିତ୍ତାକର୍ଷକ ଅଙ୍ଗଭଙ୍ଗୀ ନୃତ୍ୟ ମାଧ୍ୟମରେ ବେଶ୍‍ ବାରିହେଉଥିଲା ।


ସନ୍ଧ୍ୟାର ଦ୍ୱିତୀୟ ଉପସ୍ଥାପନା ଥିଲା ତିନିଜଣ ଶାସ୍ତ୍ରୀୟ ବାଦ୍ୟ ବିଷାରଦଙ୍କ ଦ୍ୱାରା ବାଦ୍ୟଯନ୍ତ୍ର ପରିବେଷଣ । ତରୁଣ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ସନ୍ତୁର ବାଦନ, ରନୁ ମଜୁମ୍‍ଦାରଙ୍କ ଦ୍ୱାରା ବଂଶୀ ବାଦନ ଓ ପ୍ରଶ୍ନଜିତ୍‍ ପୋଦାରଙ୍କ ଦ୍ୱାରା ତବଲା ବାଦନ । ବିଭିନ୍ନ ରାଗ ଓ ତାଳ ସମଷ୍ଟିରେ ସନ୍ତୁର, ବଂଶୀ ଓ ତବଲା ବାଦନ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକ ମାନଙ୍କର ମନ ମୋହିବା ସହିତ କରତାଳି ସାଉଣ୍ଟିବାରେ ସେମାନେ ସକ୍ଷମ ହୋଇଥିଲେ ।

ଉଦ୍‍ଘାଟନୀ ଉତ୍ସବର ଅତିଥିମାନେ ଥିଲେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବିଶିଷ୍ଟ ଚିତ୍ରକାର ଯତିନ୍‍ ଦାସ, ବିଶିଷ୍ଟ ମୃଦଙ୍ଗମ୍‍ ବାଦକ ୟାଲ୍ଲା ଭେଙ୍କଟେଶ୍ୱର ରାଓ,ଭାରତୀୟ ଅଧ୍ୟାପକ ଓ ଭାଷାବିତ୍‍ ଦେବୀ ପ୍ରସନ୍ନ ପଟ୍ଟନାୟକ, ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ଶ୍ରୀଯୁକ୍ତ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

Comments are closed, but trackbacks and pingbacks are open.