ଆଜି ରାଜ୍ୟ କ୍ୟାବିନେଟ୍‌ରେ ୧୬ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

1,388

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ ର ୬୫ତମ ବୈଠକରେ ଗୁରୁବାର ଦିନ ୧୬ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ଟି ବିଭାଗର ୧୬ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରିମଣ୍ଡଳର ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିଛି, ସିକ୍କିମ୍ ଜମି ଚାଷ କରୁଥିବା ୩ ଲକ୍ଷ ଚାଷୀଙ୍କୁ ରୟତି ଅଧିକାର ପ୍ରଦାନ। ଏହା ଫଳରେ ଓଡ଼ିଶା ଭୂସଂସ୍କାର ଆଇନର ଧାରା-୪କୁ ସଂଶୋଧନ କରାଯିବ। ଏହା ଦ୍ବାରା ୧୮ଟି ଜିଲ୍ଲାର ପ୍ରାୟ ୩ ଲକ୍ଷ ଭୂମିହୀନ କୃଷକ ଉପକୃତ ହେବେ।

ମନ୍ତ୍ରିମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବୈଠକରେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମୁଣ୍ଡାରି ଭାଷାକୁ ସାମିଲ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି। ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ରାଜ୍ୟର ବିଭିନ୍ନ ବ୍ଲକସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ଉନ୍ନତୀକରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ବଲାଙ୍ଗୀର, କୋରାପୁଟ ଜିଲ୍ଲା ଜୟପୁର, ମାଲକାନଗିରି ଜିଲ୍ଲାର ମୋଟୁ ଓ କଟକ ଜିଲ୍ଲା ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

କ୍ୟାବିନେଟ୍‌ରେ ଚାଷୀଙ୍କ ସ୍ବାର୍ଥ ନେଇ ଆଲୋଚନା ହୋଇଛି। ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ୩ଟି ନୂତନ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ, ସଂଗ୍ରହାଳୟ ନିର୍ଦ୍ଦେଶାଳୟ ଓ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହୋଇ କାର୍ଯ୍ୟ କରିବ ବୋଲି ଆଜି ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର। ଏଥିସହ ସେଠାକାର ଶ୍ରମ ଆବାସରେ ରହିଥିବା ବିସ୍ଥାପିତଙ୍କୁ ୪ ଡେସିମିଲ୍ ଲେଖାଏଁ ଜମି ବିନା ଦେୟରେ ଲିଜ୍ ଦେବାକୁ ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦନ ଦିଆଯାଇଛି।

Comments are closed, but trackbacks and pingbacks are open.