ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ୍‌ସ

320

ଧର୍ମଶାଳା: ଚଳିତ ବିଶ୍ବକପ୍‌ରେ ଗୋଟିଏ ଦିନ ବ୍ୟବଧାନରେ ପୁଣି ଏକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଆସିଥିବା ‌ୟୁରୋପୀୟ ଦଳ ନେଦରଲାଣ୍ଡ୍‌ସ ୩୮ ରନ୍‌ରେ ଆଫ୍ରିକୀୟ ଦେଶ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୪୩ ଓଭରରେ ୨୪୫/୮ ସ୍କୋର କରିଥିଲା। ଏହାକୁ ପିଛା କରି ଦକ୍ଷିଣ ଆଫ୍ରିକା ଗୋଟିଏ ବଲ୍‌ ପୂର୍ବରୁ ୨୦୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ପୂର୍ବରୁ ରବିବାର ଆଫଗାନିସ୍ତାନ ଚଳିତ ସଂସ୍କରଣର ପ୍ରଥମ ବିପର୍ଯ୍ୟୟ ଘଟାଇ ଗତ ଥରର ବିଜେତା ଇଂଲଣ୍ଡକୁ ୬୯ ରନ୍‌ରେ ପରାସ୍ତ କରିଥିଲା। ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ମଙ୍ଗଳବାର ବର୍ଷା ଯୋଗୁଁ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଫଳରେ ଏହାକୁ ୪୩ ଓଭର ବିଶିଷ୍ଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ବୋଲରମାନେ ମଧ୍ୟ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରିଥିଲେ। ୨୦ ଓଭର ମଧ୍ୟରେ ଅଧା ୱିକେଟ୍‌ ଝଡ଼ାଇ ଦେଇଥିଲେ ଦକ୍ଷିଣ ଆଫ୍ରିକା ବୋଲର।

ଏକଦା ୧୪୦/୭ ରେ ସଂଘର୍ଷ କରିଥିବା ଏହି ଦଳକୁ ଅଧିନାୟକ ସ୍କଟ ଏଡୱାର୍ଡ୍ସ ଉଦ୍ଧାର କରିବା ସହ ଏକାକୀ ଗୋଟିଏ ପଟରୁ ରନ୍‌ ଗତି ବଢ଼ାଉଥିଲେ। ଶେଷ ପର୍ଯ୍ୟନ୍ତ ରହି ଏଡୱାର୍ଡ୍ସ ୭୮* ରନ୍‌ (୬୯ ବଲ୍‌, ୧୦ ଚୌକା, ୧ ଛକା) କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ମଧ୍ୟ ନିମୟିତ ଭାବେ ୱିକେଟ୍‌ ହରାଇଥିଲା। କ୍ବିଣ୍ଟନ ଡି’କକ୍‌ (୨୦) ଓ ତେମ୍ବା ବଭୂମା (୧୬) ରକ୍ଷଣାତ୍ମକ ଖେଳୁଥିଲେ ମଧ୍ୟ ଅକରମନ ଓ ମରୱି ଉଭୟଙ୍କୁ ଆଉଟ୍‌ କରିବା ପରେ ମଧ୍ୟକ୍ରମ ଦୋହଲି ଯାଇଥିଲା। ହେନରିକ କ୍ଲାସେଁ (୨୮) ‌ଓ ଡେଭିଡ୍‌ ମିଲର (୪୩) ଯଦିଓ କିଛି ସମୟ ଲଢ଼ିଥିଲେ। ନିୟମିତ ୱି‌କେଟ୍ ପତନ କାରଣରୁ ଏହି ହତଭାଗ୍ୟ ଦଳ ଶେଷରେ ଆତ୍ମସମର୍ପଣ କରିଥିଲା। ଏଥି ସହିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ପୁଣି ହରାଇଛି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ନେଦରଲାଣ୍ଡ୍‌ସଠୁ ଦକ୍ଷିଣ ଆଫ୍ରିକା ହାରିଥିଲା। ସେହିଭଳି ଏକ‌ ଅଣ ଟେଷ୍ଟ୍‌ ଦଳଠାରୁ ଦିନିକିଆ ବିଶ୍ବକପ୍‌ରେ ହରିବାରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦେଶ ହୋଇଛି।

ସଂକ୍ଷିପ୍ତ ସ୍କୋର: ନେଦରଲାଣ୍ଡ୍‌ସ ୪୩ ଓଭରରେ ୨୪୫/୮ (ସ୍କଟ ଏଡୱାର୍ଡ୍ସ-୭୮*, ରୋଏଲଫ ଭାନ ଡର ମରୱି-୨୯, ଆର୍ଯ୍ୟନ ଦତ୍ତ-୨୩, ମାର୍କୋ ୟାନସେନ-୨/୨୭, କାଗିସୋ ରବାଦା-୨/୫୬, ଲୁଙ୍ଗି ଏନ୍‌ଗିଡି-୨/୫୭)। ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୨୦୭/୧୦ (ଡେଭିଡ୍‌ ମିଲର-୪୩, କେଶବ ମହାରାଜ-୪୦*, ହେନରିକ କ୍ଲାସେଁ-୨୮, କ୍ବିଣ୍ଟନ୍ ଡି’କକ୍‌-୨୦, ଲଗାନ୍ ଭାନ୍ ବିକ୍‌-୩/୬୦, ରୋଲେଫ୍ ଭାନ୍ ଡେର ମରୱେ-୨/୩୪, ବାସ୍ ଡି ଲିଡ୍‌-୨/୩୬, ଭଲ୍ ଭାନ୍ ମିକେରନ୍‌-୨/୪୦, କଲିନ୍ ଆକରମନ୍‌-୧/୧୬) ।

Comments are closed, but trackbacks and pingbacks are open.