ବାପା ମାଆ ଙ୍କ ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ଅଶ୍ରୁଳ ନିବେଦନ କଲେ ଯବାନ

28

ଜନ୍ମଦାତା ବାପା ମାଆଙ୍କୁ ସୁରକ୍ଷା ଦେଇ ନ ପାରି ସୀମାରେ ଥାଇ ଲୁହ ଭରା ଆଖିରେ ପ୍ରଶାସନକୁ ନ୍ୟାୟ ପାଇଁ ଆକୁଳ ନିବେଦନ କରୁଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।
ସୂଚନା ଅନୁସାରେ ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଧିନସ୍ଥ ତିନିଦେଶ ଗ୍ରାମର ମନୋରଂଜନ ମହାପାତ୍ରଙ୍କର ବଡ଼ ପୁଅ ନିନି ଗୋପାଳ ମହାପାତ୍ର ଯିଏକି ଯବାନ ଭାବେ ଜାମ୍ମୁ କାଶ୍ମୀର ସୀମାରେ କାର୍ଯ୍ୟରତ । ଘରେ ବାପା, ମାଆ ଓ ସାନ ଭାଇ ରହୁଥିବା ବେଳେ ଘରବାଡ଼ିକୁ କେନ୍ଦ୍ର କରି ତାଙ୍କର ପଡ଼ୋଶୀ ପ୍ରଦୀପ ବିଶ୍ୱାଳ, ପ୍ରତାପ ବିଶ୍ୱାଳ ସମେତ ଅନ୍ୟମାନେ ବାପା, ମାଆ ଓ ଭାଇକୁ ହଇରାଣ ହରକତ କରିବା ସହିତ ଗାଳିଗୁଲଜ କରୁଥିବା ବେଳେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସେହି ଜାଗାରେ ତାଙ୍କ ପରିବାରକୁ ନ ରଖିବା ପାଇଁ ସେମାନେ କୁଟନୀତି କରି ଅଯଥାରେ ହଇରାଣ କରି ଆସୁଛନ୍ତି । ସୀମାରେ ଥାଇ ବାପା ମାଆଙ୍କର ଦୁଃଖ ସହି ନ ପାରି ଗତ ଏପ୍ରିଲ ମାସରେ ଗାଁକୁ ଆସି ଘଟଣା ବାବଦରେ ଅଯୋଧ୍ୟା ଫାଣ୍ଡିରେ ଅଭିଯୋଗ କଲା ପରେ ମିମାଂସା ହୋଇଥିଲା । ଯବାନ ନିନିଗୋପାଳ ମହାପାତ୍ର ପୁନଶ୍ଚ କର୍ମ କ୍ଷେତ୍ରକୁ ଗଲାପରେ ମିଛରେ ପ୍ରତିପକ୍ଷମାନେ ବାପା , ମାଆ ଓ ନିନିଗୋପାଳଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।
ଏପରିକି ନିନିଗୋପାଳଙ୍କ ଚାକିରିରେ ନାଲିଗାର ପକାଇବା ସହ ଚାକିରି ଛଡ଼ାଇ ନେବାର ଧମକ ଦେଉଛନ୍ତି ବୋଲି ନିନିଗୋପାଳ ପ୍ରକାଶ କରିବା ସହ ମିଥ୍ୟାରେ ବାପା, ମାଆ ଓ ଭାଇଙ୍କୁ ନିର୍ଯାତନା ଦେଉ ଥିବା ଅଭିଯୋଗ କରିିବା ସହିତ ନ୍ୟାୟ ପାଇଁ ଏକ ଭିଡିଓ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହା ଏବେ ଏ ମୋବାଇଲରୁ ସେ ମୋବାଇଲ କୁ ଭାଇରାଲ ହୋଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ଆଖିରେ ଲୁହ ବହୁଥିବା ବେଳେ, ସ୍ଥାନୀୟ ପ୍ରଶାସନ ଯବାନଙ୍କ ପରିବାର ପ୍ରତି କେତେ ଦୂର ସୁରକ୍ଷା ଦେଉଛି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଦେଶର ସୁରକ୍ଷା ପାଇଁ ଯବାନ ନିଜର ଜୀବନକୁ ପାଣି ଛଡ଼ାଇ ସୀମାରେ ଜଗି ରହିଛି ହେଲେ ସେପଟେ ନିଜ ବାପା ମାଆ ସୁରକ୍ଷା ଓ ନ୍ୟାୟ ପାଇ ପାରୁ ନ ଥିବାରୁ ଯବାନ ଆଖିରେ ଲୁହ ନିଗାଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.