ଜମି ହଡପ ଗୁମର ଖୋଲିଲେ ସାଂସଦ ଅପରାଜିତା

29

ଭୁବନେଶ୍ୱର: କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ  । ତାମିଲ ବ୍ୟବସାୟୀ କୃଥିକା ପ୍ରଭାକରନରଙ୍କ କଳାକାରନାମାର ଗୁମର ଖୋଲିଲେ ଅପରାଜିତା । ଡେରାସ ପରେ ଭଗବତୀପୁରରେ ଜମି ହଡପ କରିଛନ୍ତି କୃଥିକା ପ୍ରଭାକରନ । କେମିତି କଳ, ବଳ ଖଟେଇ ଶାଗମାଛ ଦରରେ ଜମି ହଡପ କରୁଛନ୍ତି ତାର ପ୍ରମାଣ ଦେଖାଇଛନ୍ତି ସାଂସଦ ଅପରାଜିତା । ସାଂସଦ ଅପରାଜିତା ଆଜି ତାଙ୍କ ଏକ୍ସ (ଟୁଇଟର ହାଣ୍ଡେଲ)ରେ ଏକ ଲେଟର ପୋଷ୍ଟ କରିଛନ୍ତି । ଏହି ଲେଟର ହିଁ କୃଥିକା ପ୍ରଭାକରନ ଜମି ଲାଳସାର ଗୁମର ଖୋଲିଛି । ଏହି ଚିଠିଟି ପୋଷ୍ଟ କରି ସାସଂଦ ସୁନାମଧନ୍ୟ ରଷିଆନ ଲେଖକ  ଲିଓ ଟଲଷ୍ଟୟଙ୍କ କାହାଣୀର ଉଦହାରଣ ଦେଇ ପଚାରିଛନ୍ତି, ‘ଜଣେ ବ୍ୟକ୍ତି ପାଇଁ କେତେ ଜମି ଲୋଡା ? କୃଥିକା ପ୍ରଭାକରନଙ୍କ ନାଁରେ ଆଉ ଏକ ଜମି ହଡପ ମାମଲା । ନିଜ ଜବାନ ପୁଅକୁ ହରେଇ   ଜଣେ ୮୨ ବର୍ଷ ବୟସ୍କ ବୃଦ୍ଧ ଆଜି କାନ୍ଦୁଛନ୍ତି । ଏଇ ମହିଳାଙ୍କର ଆଉ କେତେ ଜମି ଦରକାର ? ଗରିବଙ୍କ ଲୁହ ଉପରେ ଭବ୍ୟ ସାମ୍ରାଜ୍ୟର ନିର୍ମାଣ ଚାଲିଛି । ’

ଏଥି ସହିତ ସଂପୃକ୍ତ ବୃଦ୍ଧ ସାଂସଦଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠି ମଧ୍ୟ ସେୟାର କରିଛନ୍ତି ଅପରାଜିତା । ଏହି ଚିଠି କହୁଛି ବୃଦ୍ଧଙ୍କ ଦୁଃଖ ଏବଂ ଲୁହର କାହାଣୀ । ୮୨ ବର୍ଷ ବୟସ୍କ ଏହି ବୃଦ୍ଧଙ୍କ ନାଁ ରମେଶ ଚନ୍ଦ୍ର ଦାସ । ଘର ତାଙ୍କର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଭଗବତୀପୁର ମୌଜାର ବଟିରା ଗାଁରେ । ସେ ସାଂସଦଙ୍କୁ ଏକ ଚିଠି ଲେଖି ସହାୟତା ମାଗିଛନ୍ତି । ସେ କହିଛନ୍ତି,  ତାଙ୍କର ପୁଅ ଅଧିକାରୀ ଗୌତମ ଦାସ ୨୦୦୯ରେ  ସ୍ଥାନୀୟ ଭୁବନେଶ୍ୱର ଉପକଣ୍ଠ ଭଗବତୀପୁରୀ ମୌଜାରେ  ଏକ ଜାଗା କିଣିଥିଲେ । ହେଲେ ୨୦୨୧ରେ କୋଭିଡରେ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଥିଲା । ପୁଅ ତାଙ୍କର ବ୍ୟବସାୟ କରିବା ପାଇଁ ୩ କୋଟି ଋଣ କରିଥିଲେ । ରମେଶ ତାଙ୍କ ପରିବାରର ଏକ ମାତ୍ର ପୁରୁଷ । ପୁଅଙ୍କ ମୃତ୍ୟୁ ପରେ ଘରେ ତାଙ୍କର ୭ ବର୍ଷର ନାତି ଏବଂ ବୋହୂ ଅଧିକାରୀ ଗାୟତ୍ରୀ ଦାସ ରହୁଛନ୍ତି ।

ତେଣୁ ଋଣ ସୁଝିବା ପାଇଁ ସେ ଉକ୍ତ ଜମିକୁ ବିକ୍ରି କରିବାକୁ ଚାହୁଁଥିଲେ । ହେଲେ ସେ ଘଟଣାସ୍ଥଳକୁ ଆସି ଦେଖିଲେ ତାଙ୍କ ଜାଗାରେ କେହି ତାରବାଡ ଘେରାଇ ଦେଇଛି ଏବଂ ସେଠାକୁ ଯିବା ପାଇଁ ରାସ୍ତା ନାହିଁ । ପରେ ପଚରାପଚରି କରି ରମେଶ ଜାଣିବାକୁ ପାଇଥିଲେ ଏହି ଜମିକୁ ତ୍ରିବେଣୀ ଆର୍ଥମୁଭର୍ସର କେହି ପ୍ରଭାକରନ ଏହି ଜମକୁ କବଜା କରିନେଇଛନ୍ତି । ସେ ତାଙ୍କ ଅଫିସ ସହ ଯୋଗାଯୋଗ କରିବାକୁ ଚାହିଁଥିଲେ । ହେଲେ ସେମାନେ ଆଲୋଚନା କରିବା ପାଇଁ ମନା କରିବା ସହ ତହସିଲରେ କଥା ହେବାକୁ କହିଥିଲେ । କିଛି ଦିନ ପରେ ମିଷ୍ଟର ପ୍ରଭାକରନଙ୍କ ମାନେଜର ନାଁରେ ଜଣେ ତାଙ୍କ ବୋହୂଙ୍କୁ ଫୋନ କରି ଏହି ଜମିକୁ ବିକ୍ରି କରିଦେବାକୁ କହିଥିଲେ ଏବଂ ଅତି କମ ଟଙ୍କାରେ ବିକିବାକୁ କହିଥିଲେ । ହେଲେ ରମେଶ ଏହି ଘରବାରି ଜମିକୁ ଏତେ କମ ଟଙ୍କାରେ ବିକିବାକୁ ଚାହିଁ ନ ଥିଲେ । ଏହାପରେ ଆହୁରି ୨ ଥର ତାଙ୍କ ବୋହୂଙ୍କ ପାଖକୁ ଫୋନ କରି ଜମି ବିକିବା ପାଇଁ କହିଥିଲେ । ଏହା ପରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି । ତେବେ ବର୍ଷା ଯୋଗୁ ଅମିନ ଏହି କାମରେ ବିଳମ୍ବ କରୁଥିବା ସେ କହିଛନ୍ତି ।

ସାଂସଦଙ୍କୁ ଏହି ଚିଠି ଲେଖି ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ରମେଶ ଦାସ ।

ସୂଚନାଥାଉ କି, ଡେରାସରେ ଗରିବ ଚାଷୀଙ୍କ ଜମି ଜବରଦସ୍ତ ହଡପ କରି ନେଇଥିଲେ କୃଥିକା ପ୍ରଭାକରନ । ଏପରିକି ସରକାରୀ କେନାଲକୁ ପୋତି ପକାଇଥିଲେ ।  ଫଳରେ ଏହି ଜମିକୁ ଚାଷୀମାନେ ଯାଇ ପାରୁନଥିଲେ ।  କୃଥିକାଙ୍କର ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ ସାଂସଦ ଅପରାଜିତା ।  ଅପରାଜିତା ଏହି ଜମି ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହ ଘଟଣାସ୍ଥଳକୁ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ କେନାଲ ଖୋଳି ଦୁର୍ନୀତିର ପ୍ରମାଣ ବି ଦେଖାଇ ଥିଲେ । ଏପରି  ଜବରଦଖଲ ସଂପୂର୍ଣ୍ଣ ଭାବେ ବେଆଇନ । ୧୫୦ ଏକର ଅଂଚଳରେ ଏମ୍ଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ରହିଛି ।  ଏଥିସହିତ ଏହି ବେଆଇନ ଦଖଲରୁ ହଟିବା ପାଇଁ ସରକାରଙ୍କୁ ୩ ଦିନ ସମୟ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଏକ ଚିଠି ଲେଖିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ଆଉ ପ୍ରଶାସନ ପକ୍ଷରୁ ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜମିକୁ ଜବରଦଖଲମୁକ୍ତ କରି ଅବରୋଧ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଧରାପଡିବା ପରେ କୃଥିକା ପ୍ରଭାକରଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ସାସଂଦ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର  କରିଛନ୍ତି ଯାହା  ତାଙ୍କର ଓ ତାଙ୍କ ପରିବାରର ମର୍ଯ୍ୟାଦାହାନୀ କରିଛି ।  ଏହାର ଉତ୍ତର ଅପରାଜିତା ଟୁଇଟ କରି ଦେଇଛନ୍ତି, ‘ ଜମି ହଡପ କରି ନେଉଥିବା ଜଣେ ମହିଳା ମୋତେ କ୍ଷମା ମାଗିବାକୁ କହୁଛନ୍ତି ? ଆଶ୍ଚର୍ଯ୍ୟର କଥା !’

Comments are closed, but trackbacks and pingbacks are open.