ହଟାଥ ବୈଠକର ଡାକରା ଦେଲେ ନବୀନ

135

ଭୁବନେଶ୍ୱର: ଆଗୁଆ ନିର୍ବାଚନୀ ମାହୋଲ ଭିତରେ ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ବରିଷ୍ଠ ନେତାଙ୍କୁ ଉକ୍ତ ବୈଠକକୁ ଡକାଯାଇଥିବା ଜଣାଯାଇଛି । ତେବେ ନିର୍ବାଚନ ପ୍ରସ୍ତୁତିଳ ପଦଯାତ୍ରା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାକୁ ନେଇ ଉକ୍ତ ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଆଗାମୀ ସାଧାରଣ ନିର୍ବାଚନ ପ୍ରସଙ୍ଗରେ କାହାକୁ ଟିକଟ ଦିଆଯିବ ତାକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇ ଫାଇନାଲ କରାଯିବ ବୋଲି କୁହାଯାଉଛି । ତେବେ ପର୍ୟ୍ୟବେକ୍ଷକଙ୍କ ସହ ସାମ୍ନା ସାମ୍ନୀ କଥା ହୋଇ ସବିଶେଷ ତଥ୍ୟ ସଂଗ୍ରହ କରିବେ ନବୀନ । ଜିଲ୍ଲାରେ ଥିବା ସଂଗଠନର ସଫଳତା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ । ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଯିବାର କିଛି ଟିପ୍ସ ଦେବେ ବିଜେଡି ସଭାପତି । ୨୦୨୪ ନିର୍ବାଚନ ପ୍ରସ୍ତୁତି ଓ ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ଫୋକସରେ ରହିବ । ବୈଠକରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସମେତ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିବେ ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ହାତରେ ଆଉ ଅଳ୍ପ ସମୟ । ଏନେଇ ବିଭିନ୍ନ ରାଜନୈତକ ଦଳ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ ରଣନୀତି । ଦଳ କେମିତି ନିର୍ବାଚନରେ ବାଜି ମାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଏବେଠୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିସାରିଲେଣି ସମସ୍ତ ଦଳ । ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ନିର୍ବାଚନୀ ଚାଲ ଆପଣାଇବାରେ ଲାଗିପଡ଼ିଛନ୍ତି ।

ଗତ ୬ମାସ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ସମସ୍ୟା ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହା ପରେ ସମସ୍ତ ଅଭିଯୋଗକୁ ତଦାରଖ କରି ଶୀଘ୍ର ସମାଧାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ l ତେବେ ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଆଲୋଚନା ହେଉଥିବା ବେଳେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବୈଠକ ଏହି ଆଲୋଚନାକୁ ଆହୁରି ଖୋରାକ୍ ଯୋଗାଇଛି ।

Comments are closed, but trackbacks and pingbacks are open.