ବିନା ଯୁଦ୍ଧରେ ଜାଲାଲାବାଦକୁ ଦଖଲ କଲା ତାଲିବାନ, କାବୁଲ ଦାଖଲ ପାଇଁ ଅଗ୍ରସର

22

ଦିନକୁ ଦିନ ଆଫଗାନ ସ୍ଥିତି ଖରାପ ହେବାରେ ଲାଗିଛି । ପୂର୍ବରୁ ତାଲିବାନକୁ କୌଣସି ଅଞ୍ଚଳ ଦଖଲ କରିବା ପାଇଁ ଯୁଦ୍ଧ କରିବାକୁ ପଡୁଥିବା ବେଳେ ଏବେ ବିନା ଯୁଦ୍ଧରେ ତାଲିବାନ ଆଫଗାନର ପ୍ରଦେଶକୁ ଦଖଲକୁ ନେବାରେ ଲାଗିଛି । ଆଜି ବିନା ଯୁଦ୍ଧରେ ଆଫଗାନିସ୍ତାନର ପୂର୍ବ ଜାଲାଲାବାଦକୁ ଦଖଲକୁ ନେଇଛି ତାଲିବାନ । ବର୍ତ୍ତମାନ ସରକାରୀ ନିୟନ୍ତ୍ରଣରେ କାବୁଲ ହେଉଛି ଏକମାତ୍ର ପ୍ରମୁଖ ଆଫଗାନିସ୍ତାନ ସହର, ଯାହାକୁ ଖୁବଶୀଘ୍ର ତାଲିବାନ ନିଜ ଦଖଲକୁ ନେବ ବୋଲି ଜଣାପଡ଼ିଛି। ଏମଧ୍ୟରେ ନିଜ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେରିକା ଅଧିକ ସୈନ୍ୟ ଆଫଗାନିସ୍ତାନକୁ ପଠାଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ୧୯ଟି ପ୍ରଦେଶ ଦଖଲ କରି ସେଠାରେ ନିଜର ଶାସନ ଲାଗୁ କରିଥିବା ତାଲିବାନ ଆଜି ରାତିରୁ ରାଜଧାନୀ କାବୁଲ ଦଖଲ ପ୍ରକ୍ରିୟା ଆରମ୍ଭ କରିଛି। ହିଂସା ଏଡ଼ାଇବା ନିମନ୍ତେ ଶାନ୍ତି ଆଲୋଚନା ପାଇଁ ସରକାରଙ୍କ ପ୍ରସ୍ତାବ ନେଇ ତାଲିବାନ ଅନେକ କଠୋର ସର୍ତ୍ତ ରଖିଛି। ରାଜଧାନୀ କାବୁଲର ଦକ୍ଷିଣରେ ଅବସ୍ଥିତ ଲୋଗର ପ୍ରଦେଶକୁ ତାଲିବାନ ଆଜି ଦଖଲ କରିନେବା ସହ ଏହାର ଉତ୍ତରାଞ୍ଚଳରେ ଥିବା ପ୍ରମୁଖ ସହର ମଜାର-ଏ-ସରିଫ ଉପରେ ବହୁମୁଖୀ ଆକ୍ରମଣ ଆରମ୍ଭ କରିଛି। ତାଲିବାନମାନେ ସମଗ୍ର ଲୋଗର ପ୍ରଦେଶକୁ କବ୍‌ଜା କରିନେଇଥିବାରୁ ଏବେ କାବୁଲ ଦଖଲ ସେମାନଙ୍କ ପାଇଁ ଆହୁରି ସହଜ ହୋଇଯାଇଛି । ଏବେ ସରକାରୀ ସେନା ନିୟନ୍ତ୍ରଣରେ କେବଳ କାବୁଲ ଓ ଅନ୍ୟ ୩ ପ୍ରଦେଶର ରାଜଧାନୀ ରହିଛି ଏବଂ ସେମାନେ ଆଉ ତାଲିବାନର ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.