ଏକାଠି ମଞ୍ଚରେ ବସିଲେ; ପରସ୍ପରକୁ ପ୍ରଶଂସାରେ ପୋତିଲେ ନବୀନ-ଶାହ

779

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ବସିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତ ଧରାଧରି ହୋଇ ଏନଏଚ ପ୍ରକଳ୍ପର ଉଦଘାଟନ କଲେ । ଆଉ ଉଭୟ ଉଭୟଙ୍କର ଢେର ପ୍ରଶଂସା କଲେ । ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଲୋକସେବା ଭବନରେ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ମନ୍ତ୍ରୀ ଅମିତି ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ କଳାହାଣ୍ଡି କୋକସରା ବ୍ଲକର ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ସହ କାମାକ୍ଷାନଗର-ଡୁବୁରି ୪ ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି । ଏହି ଅବସରରେ ଜଗନ୍ନାଥଙ୍କ ମାଟିକୁ ଆସିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ  ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଯୋଗାଯୋଗ ମାଧ୍ୟମର ଯଥେଷ୍ଟ ବିକାଶ ହୋଇଛି ।

ଏହି ପରିପ୍ରେକ୍ଷୀରେ ଗୁରୁପ୍ରିୟ ସେତୁଠାରୁ ଆରମ୍ଭ କରି ବିଜୁ ଏକ୍ସପ୍ରେସ ୱେ, ଇକୋନମିକ କରିଡର, ଜୟପୁର, ରାଉରକେଲ ବିମାନ ବନ୍ଦର, ମାଲକାନଗିରି ଗ୍ରୀନ ଫିଲ୍ଡ ବିମାନବନ୍ଦରର ଉଦାହାରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଶେଷରେଓଡ଼ିଶାର ବିକାଶମୂଳକ କାମ ପାଇଁ ସହଯୋଗ କରୁଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ  ।

ଅନ୍ୟପକ୍ଷେ ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ୯ ବର୍ଷ ଭିତରେ ମୋଦି ସରକାର ପ୍ରୟସାରେ ରାଜମାର୍ଗର ଉନ୍ନତି ପାଇଁ ଅନେକ କାର୍ଯ୍ୟ ହୋଇଥିବା କହିଥିଲେ । ଏହି ଅବସରରେ ଶାହ ରାଜ୍ୟ ସରକାରଙ୍କୁ ଢେର ପ୍ରଶଂସା କରିଥିଲେ ।

ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ସଫଳତା ବିଷୟରେ କହିଥିଲେ କେନ୍ଦ୍ରମନ୍ତ୍ରୀ ।  ସେହିପରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟର ମାର୍ଗଦର୍ଶକ ସାଜିଥିବା କହିଥିଲେ । ଏପରିକି  ନବୀନଙ୍କୁ ସମ୍ବୋଧନ କଲା ବେଳେ ଶାହା ତାଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ସେହିପରି ଓଡ଼ିଶା କିପରି ସହଯୋଗ କରି ଆସିଛି, ସେ ବିଷୟରେ ମଧ୍ୟ ଶାହା କହିଛନ୍ତି ।

Comments are closed, but trackbacks and pingbacks are open.