ଅଗଷ୍ଟ ୪- ଓଡ଼ିଆ ସାମ୍ବାଦିକତା ଦିବସ 

60

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହା ଅଗଷ୍ଟ ୪ ଅର୍ଥାତ ଆଜିର ତାରିଖ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ । ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲା ।

ତେବେ ଏହା ପୂର୍ବରୁ ଓଡ଼ିଆ ସାମ୍ୱାଦିକତାର ଇତିହାସ ଆହୁରି ଅନେକ ରହିଛି ।  କଳିଙ୍ଗ ଯୁଦ୍ଧ ସମୟରେ ଖବର ଦିଆନିଆ ହେଉ, କି କୁଜି ବରପତ୍ର କାହାଣୀ ହେଉ ।  କୁଜି ବରପତ୍ର ଇତିହାସ ଏକ ମଜାଦାର କାହାଣୀ । ୧୭୨୦ ଖ୍ରୀଷ୍ଟାବ୍ଦ ବେଳକୁ କଟକ ଜିଲ୍ଲା ଆଠଗଡ଼ର କୁମାରପୁର ଗାଁରେ ସୁନ୍ଦର ଦାସ ନାମକ ଜଣେ ସାଧୁ ଥିଲେ । ପରେ ସେ ଜଣେ କୁଶଳୀ ଯୋଦ୍ଧା ଭାବେ ବେଶ୍ ଖ୍ୟାତି ଲାଭ କରିଥିଲେ । ଏହାପରେ ସାଧୁ ହେବା ପରେ ଚୌଦ୍ୱାର ନିକଟରେ ଏକ ବରଗଛ ମୂଳେ ସେ ରହୁଥିଲେ । ସେତେବେଳେ ମରାଠୀ ଶାସକ ତାଙ୍କର ଶିଷ୍ୟ ଥିଲେ । ପରେ ମିଶନାରୀମାନଙ୍କ ଚକ୍ରାନ୍ତରେ ତାଙ୍କୁ ଫସିବା ପରେ ସେ ଏକ ମାସ ଜେଲ ଦଣ୍ଡ ଭୋଗିଥିଲେ ।

ତେବେ ବରଗଛ ମୂଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମର ନାଁ କୁଜିବର ଆଶ୍ରମ ଥିଲା ଏବଂ ସେଠାରୁ ସେ ଏକ ଖବରକାଗଜ ପ୍ରକାଶ କରୁଥିଲେ, ଯାହାର ନାଁ ଥିଲା କୁଜିବର ପତ୍ରିକା । ତାଳପତ୍ରରେ ବିଭିନ୍ନ ଖବର ଲେଖି ସେ ଏହାକୁ ପ୍ରକାଶ କରୁଥିଲେ ଏବଂ ତାଙ୍କର ଶିଷ୍ୟମାନେ ନକଲ କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ । ସେହିପରି କୁଜିବର ପାଖରେ ପଦ୍ମପୁର ଗାଁରେ ହରିତାଳି ନାମକ ଆଉ ଏକ କାଗଜ ଦେଶୀୟ ପଦ୍ଧତିରେ ତିଆରି ହେଉଥିଲା, ଏବଂ ଏହି କାଗଜକୁ କଟକର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା । ଏଥିରୁ କେତୋଟି ସଂଖ୍ୟା ଲଣ୍ଡନ ମଧ୍ୟ ପଠାଯାଇଥିଲା ।

ତେବେ ଉତ୍କଳ ଦୀପିକା ହେଉ କି ସମ୍ୱାଦ ବାହିକା, ଦି ପ୍ରେସ ହେଉ କି ଉତ୍କଳ ଦର୍ପଣ, ସମସ୍ତଙ୍କର ଥିଲା ସ୍ୱତନ୍ତ୍ର ପରିଚୟ ।  କଟକରୁ ଉତ୍କଳ ଦୀପିକା, ବାଲେଶ୍ୱରରୁ ସମ୍ୱାଦ ବାହିକା ଓ ସମ୍ୱଲପୁରରୁ ହିତୈଶିଣୀ ସେତେବେଳେ ପ୍ରକାଶିତ ହେଉଥିଲା । ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ବେଳେ ଏହି ଖବରକାଗଜ ଗୁଡ଼ିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.