ରାଜ୍ୟପାଳଙ୍କ ଦ୍ୱାରା କିଟରେ କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‍ଘାଟିତ

476

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା କିଟରେ ବିଶାଳ କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ (ସିପିଆର) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ସହଯୋଗରେ ଶ୍ରୀ ଜଗନ୍ନାଥ ସର୍ଭିସ୍‍ ଫାଉଣ୍ଡେସନ୍‍ ଓ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆୟକର ବିଭାଗ ମୁଖ୍ୟ କମିଶନର କ୍ରୀଷ୍ଣ କିଶୋର ଜଷ୍ଠି, ସତ୍ୟ ସାଇ ଟ୍ରଷ୍ଟର ଆବାହକ ଅକ୍ଷୟ ପାଣି, ବିଶିଷ୍ଟ ରେସସାଇଟେସନ୍‍ ବିଶେଷଜ୍ଞ ତଥା ଓଡ଼ିଶା ସରକାରଙ୍କ ସିପିଆର ପରାମର୍ଶଦାତା ଡା ଭେମୁରି ଏସ୍‍ ମୂର୍ତ୍ତି, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ନାଗରିକ ସେମାନଙ୍କୁ ତତ୍‍କ୍ଷଣାତ୍‍ କିଭଳି ସାହାଯ୍ୟ କରିପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଆଜି ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୫ଶହ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ୧୮ମାସ ମଧ୍ୟରେ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ। କିସରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ବିଶେଷ ସହାୟକ ହେବା ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହୁଥିବା ଜନଜାତି ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କହିଲେ, ପ୍ରକୃତିରେ ସବୁ ପ୍ରକାର ରୋଗର ନିରାକରଣ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଆମେ ପ୍ରକୃତିର ସୁରକ୍ଷା ପରିବର୍ତ୍ତେ ପ୍ରକୃତିର କ୍ଷତି କରିଚାଲିଛେ। ସେଥିପ୍ରତି ସଜାଗ ରହିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ। ଶ୍ରୀ ସାମନ୍ତ କହିଲେ ବର୍ତ୍ତମାନ ସମୟରେ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ଆମେ ହାର୍ଟ ଆଟାକ୍‍ ଭଳି ରୋଗର ଶିକାର ହେଉଛେ । ଏଥିରୁ ବର୍ତ୍ତିବାକୁ ହେଲେ ଆମକୁ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ। ସିପିଆର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସତ୍ୟସାଇ ସେବା ସଂଗଠନର ଏକ ଭଲ ପ୍ରୟାସ। ଏହି ପ୍ରଶିକ୍ଷଣ ନେଇଥିଲେ ଅନେକ ଲୋକଙ୍କୁ ହାର୍ଟ ଆଟାକ୍‍ ସମୟରେ ମୃତ୍ୟୁ ମୁଖରୁ ବଞ୍ଚାଇବାରେ ସହାୟକ ହୋଇପାରିବ। କିଟ୍‍ ଓ କିସ୍‍ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସିପିଆର ତାଲିମ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ। କିସ୍‍ର ଛାତ୍ରଛାତ୍ରୀମାନେ ଏହି ତାଲିମ ପାଇବା ପରେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ସିପିଆର ତାଲିମ ପ୍ରଦାନ କରିପାରିବେ ବୋଲି ସେ କହିଥିଲେ। ଏହାଦ୍ୱାରା ଜନଜାତି ସମ୍ପ୍ରଦାୟ ଉପକୃତ ହୋଇପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ ।

ବିଶ୍ୱରେ ହୃଦରୋଗ ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ବିଶେଷକରି ହୃଦଜନିତ ସମସ୍ୟାକୁ ଅଣଦେଖା କରିବା ଫଳରେ ହଠାତ୍‍ ହୃଦସ୍ପନ୍ଦନ ବନ୍ଦ ହୋଇଯିବା କିମ୍ବା କାର୍ଡିଆକ୍‍ ଆରେଷ୍ଟ ଯାହାକୁ ଆମେ ସାଧାରଣତଃ ହାର୍ଟ ଆଟାକ୍‍ ବୋଲି କହିଥାଉ। ବିଶେଷକରି ଭାରତୀୟମାନେ ଉଚ୍ଚ ରକ୍ତଚାପ, ଅଧିକ ଚର୍ବିଯୁକ୍ତ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ସର୍କରା, ବ୍ୟାୟାମର ଅଭାବ, ତମ୍ବାଖୁ ବ୍ୟବହାର, ଚାପ ଏବଂ ବଂଶଗତ ସମସ୍ୟା ଯୋଗୁଁ ହୃଦରୋଗର ଶିକାର ହୋଇଥାନ୍ତି। କାର୍ଡିଆକ୍‍ ଆରେଷ୍ଟର ଶିକାର ହେଉଥିବା ୯୦% ଲୋକଙ୍କୁ ତୁରନ୍ତ ଆପଦକାଳୀନ ସହାୟତା ଅଭାବ ଅର୍ଥାତ୍‍ ନିକଟରେ ଥିବା ବ୍ୟକ୍ତି କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ (ସିପିଆର) ସହାୟତା ଯୋଗାଇ ଦେଇପାରୁ ନଥିବାରୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି ।

କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ (ସିପିଆର) କୌଶଳ ଦ୍ୱାରା କାର୍ଡିଆକ୍‍ ଆରେଷ୍ଟ ସମୟରେ ରକ୍ତ ସଞ୍ଚାଳନ ଏବଂ ଚେଷ୍ଟ କମ୍ପ୍ରେସନ୍‍ ମାଧ୍ୟମରେ ହୃତ୍‍ପିଣ୍ଡର ପୁନଃଚଳନ କରାଯାଇଥାଏ। ଏହା ସାଧାରଣ ହୃତସ୍ପନ୍ଦନ ଫେରିବା ପର୍ଯ୍ୟନ୍ତ ଶରୀରର ବିଭିନ୍ନ ପ୍ରମୁଖ ଅଙ୍ଗକୁ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। କାର୍ଡିଆକ୍‍ ଆରେଷ୍ଟର ପ୍ରଥମ ୪ରୁ୫ ମିନିଟ୍‍ ମଧ୍ୟରେ ଜୀବନ ରକ୍ଷାରେ ସିପିଆର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏକ ସ୍ୱୟଂଚାଳିତ ଏକ୍ସଟରନାଲ୍‍ ଡେଫିବ୍ରିଲାଟର୍‍ (ଏଇଡି) ବ୍ୟବହାର ସହ ସିପିଆର ଦ୍ୱାରା ହାର୍ଟ ଆଟାକ୍‍ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବାର ସମ୍ଭାବନା ବୃଦ୍ଧି ପାଇଥାଏ। ୧୦ବର୍ଷରୁ ଊର୍ଦ୍ଧ୍ୱ ବୟସର ଯେ କୌଣସି ବ୍ୟକ୍ତିଙ୍କୁ ସାମାନ୍ୟ ତାଲିମ ସହ ଏଇଡିର ବ୍ୟବହାର ଏବଂ ସିପିଆର କୌଶଳ ସମ୍ପର୍କିତ ଜ୍ଞାନ ପ୍ରଦାନ କରାଯିବା ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷାରେ ସହାୟକ ହୋଇପାରିବ ବୋଲି ଅତିଥିମାନେ କହିଥିଲେ।

Comments are closed, but trackbacks and pingbacks are open.