ନବ ଦାସ ହତ୍ୟା ମାମଲା: ଗୋପାଳକୁ ଖସାଇଦେବେ କି?

152

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଦିନକୁ ଦିନ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ହିଁ ଗୋପାଳ ସଂପର୍କରେ ଅନେକ ଅନାଲୋଚିତ ତଥ୍ୟକୁ ସାମ୍ନାକୁ ଆଣୁଛି। ରିପୋର୍ଟ ହିଁ ସୂଚାଇ ଦେଉଛି ଯେ କ୍ରାଇମବ୍ରାଞ୍ଚ ପ୍ରସ୍ତୁତ କରିଥିବା ଚାର୍ଜସିଟ୍‌ରେ ଅନେକ ପରସ୍ପର ବିରୋଧୀ ଏବଂ ଗୋଳମାଳିଆ ତଥ୍ୟ ରହିଛି। ଏହା ବିଚାର ପ୍ରକ୍ରିୟାରେ କାହା ପାଇଁ ଲାଭଦାୟକ ହେବ କିମ୍ବା କ୍ଷତି ପହଞ୍ଚାଇବ, ତାହା ଅଲଗା କଥା। ହେଲେ ଏହି ଘଟଣାକୁ ଉଦାହରଣ ଭାବେ ନେଲେ, ଯେ କେହି ବୁଝିପାରିବ ଯେ ପୁଲିସ ବିଭାଗଟି ମଧ୍ୟ ଠିକ୍ ଠାକ୍ ଚାଲିନାହିଁ।

କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌କୁ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ଜବତ ତାଲିକାରେ ୨୦୧୩ରୁ ୨୦୧୫ ଯାଏ ଗୋପାଳର ଚାକିରି ଇତିହାସ ଟିକିନିଖି ରଖିଛି। ଗୋପାଳର ମାନସିକ ସ୍ଥିତି ସଂପର୍କରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି। ରିପୋର୍ଟ କହୁଛି ଯେ ୨୦୧୪ ଫ୍ରେବୁଆରି ୭ ତାରିଖରେ ତତ୍କାଳୀନ ଏସ୍‌ପି ସୀମା ଯାଞ୍ଚ ପାଇଁ କୋଲାବିରା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶନାମା ମିଳିବାର ତିନିଦିନ ପରେ ତତ୍କାଳୀନ ଆର୍‌ଏସ୍‌ଆଇ କୋଲାବିରା ଥାନାଧିକାରୀଙ୍କୁ ଜଣାଇଥିଲେ ଯେ ଗୋପାଳ ଅନୁପସ୍ଥିତ ରହିଛି। ଏନେଇ ସେ କାହାକୁ ସୂଚନା ଦେଇନାହିଁ। ଅନ୍ୟପକ୍ଷରେ ଗୋପାଳ ଯେଉଁ ମେଡ଼ିକାଲ ରିପୋର୍ଟ ଦେଇଛି, ସେଥିରେ କୁହାଯାଇଛି ଯେ ସେ ବ୍ରହ୍ମପୁର ମେଡ଼ିକାଲରେ ସେହିବର୍ଷ ଅର୍ଥାତ୍ ୨୦୧୪ ଫେବ୍ରୁଆରି ୪ରୁ ଏପ୍ରିଲ ୩ ଯାଏ ଚିକିତ୍ସିତ ହେଉଥିଲା। ଯଦି ଗୋପାଳ ମେଡ଼ିକାଲରେ ଚିକିତ୍ସିତ ହେଉଥିଲା, ସେନେଇ ସଂପୃକ୍ତ କୋଲାବିରା ଥାନାଧିକାରୀ କଣ ଜାଣିନଥିଲେ? ତାଙ୍କୁ ପୁଣି କେମିତି ସୀମା ଯାଞ୍ଚ ଦାୟିତ୍ବଟି ଦିଆଗଲା? କେହି କିଭଳି ଜାଣିପାରିଲେ ନାହିଁ?

ସେହିଭଳି ତତ୍କାଳୀନ ଝାରସୁଗୁଡ଼ା ଏସ୍‌ଡିପିଓ ରାଜକିଶୋର ପାଇକରାୟ ସେହିବ‌ର୍ଷ ଏପ୍ରିଲ ୨୬ ତାରିଖରେ ଗୋପାଳକୁ ଚିକିତ୍ସିତ କରିଥିବା ଡାକ୍ତରଙ୍କ ସମ୍ପର୍କରେ ସୂଚନା ମାଗିଥିଲେ। ଏଥିରେ କୁହାଗଲା ଯେ ମାର୍ଚ୍ଚ ୧୩ ତାରିଖରେ ଏମ୍‌କେସିଜି ହସ୍ପିଟାଲର ଡା. ଚନ୍ଦ୍ରଶେଖର ତ୍ରିପାଠୀଙ୍କ ନିକଟରେ ସେ ଚିକିତ୍ସିତ ହେଉଥିଲେ। ସେହିବର୍ଷ ଫେବ୍ରୁଆରି ୨୮ ତାରିଖରେ ପୁଣି ଗୋପାଳ ଏମ୍‌କେସିଜି ହସ୍ପିଟାଲର ଓପିଡିରେ ଚିକିତ୍ସିତ ହୋଇଥିବା ରିପୋର୍ଟରେ କୁହାଗଲା। ଗୋଟିଏ ପଟେ ଏମ୍‌କେସିଜି ହସ୍ପିଟାଲର ଡାକ୍ତର ଫେବ୍ରୁଆରି ୪ରୁ ଏପ୍ରିଲ ୩ ତାରିଖ ଯାଏ ଚିକିତ୍ସିତ ହୋଇଥିବାର ରିପୋର୍ଟ ଦେଇଥିବା ବେଳେ ଆଉ ଗୋଟିଏ ପଟେ ଏହାରି ଭିତରେ ଥରେ ସେ ଘରୋଇ ହସ୍ପିଟାଲରେ ଓ ଆଉ ଥରେ ସେହି ହସ୍ପିଟାଲର ଓପିଡିରେ ଚିକିତ୍ସିତ ହୋଇଥିବା ରିପୋର୍ଟ ଦିଆଯାଇଛି। ଏଥିରୁ କେଉଁଟି ସତ? ଏଭଳି ରିପୋର୍ଟ ସଂପର୍କରେ ତତ୍କାଳୀନ ପୁଲିସ ଅଧିକାରୀମାନେ ଜାଣିଶୁଣି ଅନୁଧ୍ୟାନ କରିନାହାନ୍ତି ନା ଏହା ପଛରେ ଆଉ କିଛି କଥା ରହିଛି ?

ଉଭୟ ଘଟଣା ଦୁଇଟି ବଡ଼ ପ୍ରଶ୍ନ ଛି଼ଡ଼ା କଲାଣି। ପ୍ରଥମତଃ ୨୦୧୬ରୁ ୨୦୨୨ ଯାଏ ଗୋପାଳର ଚାକିରି ଜୀବନର ବିଶଦ ବିବରଣୀ ଦିଆଯାଇନାହିଁ। ଏହି ସମୟରେ ଗୋପାଳ ଚିକିତ୍ସିତ ହେଉଥିଲା ତା ସେ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇସାରିଥିଲା, ତାହା ଜଣାପଡ଼ୁନାହିଁ। ଷ୍ଟେଟ୍‌ ଡିଫେନ୍ସ କାଉନ୍‌ସିଲ ନରେଶ ନାୟକ କହିଛନ୍ତି, ପୁଲିସ ବିଭାଗ ଓ ରାଜ୍ୟ ସରକାର ଉଭୟେ ଗୋପାଳର ମାନସିକ ରୋଗ ସମ୍ପର୍କରେ ଅବଗତ ଥିଲେ। କିନ୍ତୁ ଗୋପାଳ ଯେଉଁସବୁ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିବା ଦର୍ଶାଇଛି ସେମାନଙ୍କର ସିଆର୍‌ପିସି ଧାରା ୧୬୧ ଅନୁସାରେ ବୟାନ୍‌ ରେକର୍ଡ କରାଯାଇ ନାହିଁ। ଯଦି ସମସ୍ତେ ସବୁ ଜାଣିଥିଲେ, ତେବେ ତାଙ୍କୁ କେମିତି ବନ୍ଧୁକ ଦିଆଗଲା? ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ତା’ ସଂପର୍କରେ ପରବର୍ତ୍ତୀ ସମୟରେ କିଭଳି ସାର୍ଟିଫିକେଟ୍ ପାଇଲେ, ଯାହା ଫଳରେ ମାନସିକ ଅସୁସ୍ଥତା ଥିବା କଥାଟି ପାସୋରି ଦେଲେ?

ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଗୋପାଳ ୨୦୧୩ ସେପ୍ଟେମ୍ବର ୧୨ ତାରିଖ ସକାଳ ସାଢ଼େ ୭ଟାରୁ ନିଖୋଜ ଥିଲା। ଆଇଆଇସି କୋଲାବିରା ଏସ୍‌ପିଙ୍କୁ ଭିଏଚ୍‌ଏଫ୍‌ ମେସେଜ୍‌ ଯୋଗେ ଏକଥା ଅବଗତ କରିଥିଲେ। ପରେ ଗୋପାଳ ସେହିଦିନ ଚାକିରିରେ ପୁଣି ଯୋଗ ଦେଇଛି ଓ ଝାରସୁଗୁଡ଼ା ହସ୍ପିଟାଲର ଆଉଟ୍‌ଡୋର ଟିକେଟ୍‌ ବି ଏଥିରେ ସଂଲଗ୍ନ ରହିଛି, ଯେଉଁଥିରେ ସେ ଚିକିତ୍ସିତ ହୋଇଥିବା କୁହାଯାଇଛି। କେବଳ ଥରୁଟିଏ ନୁହେଁ, ସେହିବର୍ଷ ଅର୍ଥାତ୍ ୨୦୧୩ ଅକ୍ଟୋବର ୧୦ ତାରିଖରେ ଗୋପାଳ ପୁଣି ଥରେ ବିନା ସୂଚନାରେ ଅନୁପସ୍ଥିତ ରହିଥିଲା। ଏହି କାରଣରୁ ତାର ଦିନକର ଦରମା ବନ୍ଦ ହୋଇଥିବା ସମ୍ପର୍କିତ କାଗଜ ଜବତ କରାଯାଇଛି।

Comments are closed, but trackbacks and pingbacks are open.