ଜନ ମତ ସର୍ଭେ: ପୁଣି ମୋଦୀ, ନବୀନ

27

ଭୁବନେଶ୍ବର: କେନ୍ଦ୍ରରେ ଏନ୍‌ଡିଏ ସରକାର ବଦଳିବନି। ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଅର୍ଥାତ ବିଜେଡି ସରକାର ରହିବ। ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ। ଓଡ଼ିଶାରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଇଣ୍ଡିଆ ଟିଭି ଓ ସିଏନ୍‌ଏକ୍ସର ଜନମତ ସର୍ଭେରେ ଏମିତି ତଥ୍ୟ ଆସିଛି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ସର୍ଭେ ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ୩୧୮ ଆସନ ମିଳିବ। ଏଥିରେ ବିଜେପିର ଭାଗ ୨୯୦ ଭିତରେ ରହିବ। ଗତ ଥର ଠାରୁ ବିଜେପିର ଆସନ କମିଯିବ। ଏହି ସର୍ଭେ ନବଗଠିତ ‘ଇଣ୍ଡିଆ’ ମେଣ୍ଟକୁ ୧୭୫ ଆସନ ଦେଇଛି। ଏଥିରେ କଂଗ୍ରେସର ଭାଗ ରହିଛି ୬୬।ଦିଲ୍ଲୀ, ଗୁଜୁରାଟ, ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିଆନା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡରେ ବିଜେପି ଭଲ କରିବ। ପଶ୍ଚିମବଙ୍ଗ, ତାମିଲନାଡୁ, ମଣିପୁର, ପଞ୍ଜାବ ଓ ବିହାରରେ ଇଣ୍ଡିଆ ମେଣ୍ଟ ଭଲ କରିବ।

ଓଡ଼ିଶାରେ ୪୫ ପ୍ରତିଶତ ଭୋଟ୍‌ ପାଇ ବିଜେଡି ପୁଣି ସରକାର ଗଢ଼ିବ ବୋଲି ଏହି ସର୍ଭେରେ କୁହାଯାଇଛି। ୪୧ ପ୍ରତିଶତ ଭୋଟ୍‌ ପାଇଁ ମୁଖ୍ୟ ବିରୋଧୀ ଦଳ ଆସନରେ ବିଜେପି ବସିବ। କଂଗ୍ରେସର ଭୋଟ୍‌ ହାର ୧୧ ପ୍ରତିଶତରେ ସୀମିତ ରହିବ। ଲୋକ‌ସଭା କ୍ଷେତ୍ରରେ ବିଜେଡିକୁ ୧୩ ଓ ବିଜେପିକୁ ୮ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ବି ଆସନରେ ଜିତିପାରିବନି ବୋଲି କୁହାଯାଇଛି।

ତେବେ ଏହି ସର୍ଭେକୁ ନେଇ ରାଜ୍ୟରେ ବୟାନବାଜି ଆରମ୍ଭ ହୋଇଛି। ତିନି ପ୍ରମୁଖ ଦଳ ଏହାକୁ ଶତ ପ୍ରତିଶତ ଗ୍ରହଣ କରିନାହାନ୍ତି। ବିଜେଡି ନେତା ମୁନା ଖାନ୍ ଗଣମାଧ୍ୟମକୁ କହିଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏପରି ସର୍ଭେ ରିପୋର୍ଟ ଆସିଥାଏ। ସେମାନଙ୍କ ସବୁ ଆକଳନ ଠିକ୍‌ ହେବ, ସେମିତି କିଛି ମାନେ ନାହିଁ। ବିଜେଡି ୧୩ ନୁହେଁ, ୨୦ଟି ଲୋକସଭା ଆସନ ଜିତିବ। ରାଜ୍ୟରେ ମଧ୍ୟ ବିଜେଡି ସରକାର ଗଢ଼ିବ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆମେ ୮ ନୁହେଁ ଆହୁରି ଅଧିକ ଆସନ ଜିତିବୁ। ସମୟ ବହୁତ ଅଛି। ଆମ ସଂଗଠନ ସୁଦୃଢ଼ ରହିଛି, ଆମେ ଆଗକୁ ଯିବୁ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଗତଥର କର୍ଣ୍ଣାଟକ ସର୍ଭେ ରିପୋର୍ଟ ଠିକ୍‌ ହେଲାନି। ସର୍ଭେରେ ବିଜେପି ସରକାର କରିବ ବୋଲି କୁହାଯାଉଥିଲେ ବି ସେଠାରେ କଂଗ୍ରେସ ସରକାର କଲା। ୧୯୯୫ ମସିହାରେ ଓଡ଼ିଶାରେ ବିଜୁ ପଟ୍ଟନାୟକ ପୁନର୍ବାର ସରକାର ଗଢ଼ିବେ ବୋଲି ସର୍ଭେ ରିପୋର୍ଟ ଆସିଥିଲା। କିନ୍ତୁ ସେତେବେଳେ କଂଗ୍ରେସ ସରକାରକୁ ଆସିଥିଲା। ଏଭଳି ସର୍ଭେ ରିପୋର୍ଟ ମନଗଢ଼ା। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବ। ୮ରୁ ୧୦ଟି ଲୋକସଭା ଆସନ କଂଗ୍ରେସ ଜିତିବ।

Comments are closed, but trackbacks and pingbacks are open.