କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଝଟକା

601

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଡାଇରେକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । ସଞ୍ଜୟ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇଛନ୍ତି । ଏହାସହ ଜୁଲାଇ ୩୧ ଯାଏ କାର୍ଯ୍ୟାଳୟ ଛାଡିବାକୁ ସମୟ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, କାର୍ଯ୍ୟକାଳକୁ ତୃତୀୟ ଥର ପାଇଁ ବଢାଇବା ବେଆଇନ ।ତେବେ ଅଦାଲତ ଡିଏସପିଏ ଏବଂ ସିଭିସି ଆକ୍ଟରେ ସଂଶୋଧନକୁ ସଠିକ୍ ବୋଲି ଦର୍ଶାଇଛନ୍ତି । ଏହା ଜରିଆରେ ସରକାର ସିବିଆଇ ଏବଂ ଇଡି ନିର୍ଦ୍ଦେଶକଙ୍କ ଦୁଇ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ପରେ ତିନି ବର୍ଷ ଯାଏ କାର୍ଯ୍ୟକାଳ ବୃଦ୍ଧି କରିପାରିବେ ।

ଅଦାଲତ ଆଦେଶ ଦେଇଛନ୍ତି ଯେ, ସଞ୍ଜୟ କୁମାର ମିଶ୍ର ଜୁଲାଇ ୩୧ ଯାଏ ଦାୟିତ୍ୱ ସମ୍ଭାଳିପାରିବେ । ଏହି ସମୟ ଭିତରେ କେନ୍ଦ୍ର ସରକାରଙ୍କୁ ଅନ୍ୟ ବ୍ୟବସ୍ଥା ଦେଖିବାକୁ ପଡ଼ିବ । କୋର୍ଟ ସ୍ପଷ୍ଟ କହିଛନ୍ତି ଯେ ସଞ୍ଜୟ କୁମାର ମିଶ୍ରଙ୍କୁ ଜଲାଇ ୩୧ ସୁଦ୍ଧା ଅଫିସ୍ ଛାଡ଼ିବା ପାଇଁ ସମୟ ଦିଆଯାଇଛି । ଜଷ୍ଟିସ୍ ବିଆର ଗଭଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସଞ୍ଜୟ ମିଶ୍ରଙ୍କୁ ନଭେମ୍ୱର ୨୨ ପରେ ସେବା ବିସ୍ତାର ମିଳିବା କଥା ନଥିଲା । ସୁପ୍ରିମକୋର୍ଟ ୨୦୨୧ରେ ନିଜ ନିଷ୍ପତ୍ତିରେ କହିଥିଲେ ଯେ ମିଶ୍ରଙ୍କ କାର୍ଯ୍ୟକାଳ ଆଉ ନବଢିବା ଦରକାର ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୩ ନଭେମ୍ୱରରେ ଶେଷ ହେବ । ଗତ ବର୍ଷ ନଭେମ୍ୱରରେ କେନ୍ଦ୍ର ସରକାର ସଞ୍ଜୟଙ୍କ କାର୍ଯ୍ୟକାଳକୁ ତୃତୀୟ ଥର ପାଇଁ ବଢାଇଥିଲେ । ରାୟ ପଢିବା ବେଳେ ଜଷ୍ଟିସ୍ ଗଭଇ କହିଥିଲେ ୨୦୨୧ରେ ସିଭିସି ଏବଂ ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବିଲିଶମେଣ୍ଟ ଆକ୍ଟରେ ସଂଶୋଧନ କରିବା ଭୁଲ ନୁହେଁ, କିନ୍ତୁ କୋର୍ଟ ୨୦୨୧ରେ ହିଁ ରାୟ ଦେଇଥିଲେ, ଏହା ପରେ ତାଙ୍କ କାର୍ଯ୍ୟକାଳ ବଢାଇବାର ନଥିଲା ।

ଇଡି ମୁଖିଆଙ୍କ ବର୍ଦ୍ଧିତ କାର୍ଯ୍ୟକାଳକୁ ବିରୋଧରେ କରି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ଏବଂ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ କିଛି ଜଣ ଚ୍ୟାଲେଞ୍ଜ କରିଥିଲେ । ୧୯୮୪ ବ୍ୟାଚର ଆଇଆରଏସ ଅଧିକାରୀ ସଞ୍ଜୟ ମିଶ୍ରଙ୍କୁ ଆର୍ଥିକ ମାମଲାର ବିଶେଷଜ୍ଞ କୁହାଯାଉଛି । ନିଜ କ୍ୟାରିୟରରେ ସଞ୍ଜୟ ମିଶ୍ର ଇନକମ ଟ୍ୟାକ୍ସ ଜଡିତ ବହୁ ହାଇପ୍ରୋଫାଇଲ ମାମଲାର ତଦନ୍ତ କରିଥିଲେ ।

Comments are closed, but trackbacks and pingbacks are open.