ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

32

ଭୁବନେଶ୍ୱର, ଜୁନ ୧୨: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି ।
ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ । ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ । ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ ।
ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ ।
ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତି ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ଶ୍ରୀ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ ।
ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରୀମତି ଜ୍ୟୋସ୍ନା ମିଶ୍ର ଓ ଶ୍ରୀମତି ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମତି ନିହାରିକା ତ୍ରିପାଠୀ ଓ ଶ୍ରୀମତି ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଶ୍ରୀମତି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ । ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।
ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି ।

Comments are closed, but trackbacks and pingbacks are open.