ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

28

ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନା ହେଲିକପ୍ଟର ଯୋଗେ ବାଲେଶ୍ବର ଆସିଛନ୍ତି ।

ସେଠାରେ ସେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରୁଛନ୍ତି । କ୍ଷତିଗ୍ରସ୍ତ ବଗି ଗୁଡ଼ିକୁ ମୋଦିଙ୍କ ସହ ୨ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ବୁଲି ଦେଖୁଛନ୍ତି। ଏହାପୂର୍ବରୁ ମୋଦି ଟ୍ରେନ ଦୁର୍ଘଟଣା ନେଇ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ବାହାନଗାରେ ସ୍ଥିତି ସମୀକ୍ଷା କରିବା ପରେ କଲାଇକୁଣ୍ଡା ଫେରିଯିବେ ସେଠାରୁ ଦିଲ୍ଲୀ ଅଭିମୁଖେ ବାହାରିବେ । କଟକ ଓ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମ ନାହିଁ ।

ପ୍ରଧାନମନ୍ତ୍ରୀ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୂର୍ବାହ୍ନରେ ହେଲିକପ୍ଟରରେ ଆସି ମମତା ସିଧା ବାଲେଶ୍ବରରେ ଅବତରଣ କରିଥିଲେ । ପରେ ସେଠାରୁ ସେ ବାହାନଗା ଷ୍ଟେସନ ନିକଟବର୍ତ୍ତୀ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ମଧ୍ୟ ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି । ଏହାସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କ ଲାଗି ୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିବା ନେଇ ନବୀନଙ୍କ ପ୍ରସ୍ତାବ ଦେଇଛନ୍ତି । ସେହିପରି ବିଭିନ୍ନ ଦେଶ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ନେପାଳ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଆମେରିକା, କାନାଡା ପ୍ରଧାନମନ୍ତ୍ରୀ ପ୍ରମୁଖ ଟ୍ବିଟ୍ କରି ଦୁଃଖ ବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.