ମୋଦୀଙ୍କୁ ଯଦି ଈଶ୍ବରଙ୍କ ପାଖରେ ବସାଯାଏ, ବ୍ରହ୍ମାଣ୍ଡ କେମିତି ଚାଲୁଛି ସେ ଈଶ୍ବରଙ୍କୁ ବୁଝାଇଦେବେ: ରାହୁଲ୍‌ ଗାନ୍ଧୀ

29

ସେମାନେ ସବୁ ଜାଣନ୍ତି ବୋଲି ହୃଦ୍‌ବୋଧ କରୁଥିବା ଦଳେ ବ୍ୟକ୍ତିଙ୍କଦ୍ବାରା ଭାରତ ଶାସନ ଚାଲିଛି। ସେମାନେ ଈଶ୍ବରଙ୍କ ନିକଟରେ ବସିଲେ ବିଶ୍ବ-ବ୍ରହ୍ମାଣ୍ଡ କିପରି ଚାଲିଛି ତାହା ଈଶ୍ବରଙ୍କୁ ବୁଝାଇଦେବେ। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ବୋଲି ଆଜି ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦ୍ରୂପ କରି ରାହୁଲ୍‌ କହିଛନ୍ତି, ମୋର ମନେହୁଏ ଆପଣମାନେ ଯଦି ମୋଦୀଜୀଙ୍କୁ ଈଶ୍ବରଙ୍କ ଆଗରେ ବସାଇ ଦିଅନ୍ତି, ବିଶ୍ବ-ବ୍ରହ୍ମାଣ୍ଡ କେମତି ଚାଲିଛି ସେ ଈଶ୍ବରଙ୍କୁ ବୁଝାଇ ଦେବେ। ତାହା ଶୁଣିବା ପରେ ନିଜେ କ’ଣ ସୃଷ୍ଟି କରିଛନ୍ତି ଭାବି ଈଶ୍ବରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ।

ଦଳେ ଲୋକ ଅଛନ୍ତି, ସେମାନେ ସବୁ ବୁଝିପାରନ୍ତି। ସେମାନେ ବୈଜ୍ଞାନିକଙ୍କୁ ବିଜ୍ଞାନ, ଐତିହାସିକମାନଙ୍କୁ ଇତିହାସ, ସେନାକୁ ଯୁଦ୍ଧକୌଶଳ ବତାଇ ଦେଇପାରିବେ। କିନ୍ତୁ, ବାସ୍ତବ କଥା ହେଲା ସେମାନେ କିଛି ଜାଣନ୍ତି ନାହିଁ ବୋଲି ରାହୁଲ୍‌ ଗାନ୍ଧୀ କହିଛନ୍ତି।

‘ଭାରତ ଯୋଡ଼ୋ ଯାତ୍ରା’ ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଲେ, ଏଜେନ୍‌ସିମାନଙ୍କୁ ଅପବ୍ୟବହାର କରାଯାଉଥିବା ଯୋଗୁଁ ରାଜନୈତିକ କାର୍ଯ୍ୟକଳାପ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇ ଆମେ ‘ଭାରତ ‌ଯୋଡ଼ୋ ଯାତ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ, ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ସରକାର ସାଧ୍ୟମତେ ଉଦ୍ୟମ କରିଥିଲେ। ମାତ୍ର ଏହି ଯାତ୍ରାର ପ୍ରଭାବ ବଢ଼ି ବଢ଼ି ଚାଲିଲା।

ପ୍ରବାସୀ ଭାରତୀୟଙ୍କୁ ଉଦ୍ଦେଶ୍ୟ କରି ସେ  କହିଲେ, ସବୁ ଧର୍ମ-ବିଶ୍ବାସର ଜନତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଓ ଶ୍ରଦ୍ଧାଭାଜନ ହେବା ମୂଲ୍ୟବୋଧକୁ କଂଗ୍ରେସ ବିଶ୍ବାସ କରେ। ଆପଣମାନେ ଏଠାରେ ସେ ପ୍ରକାରର ଭାରତର ପ୍ରତିନିଧିତ୍ବ କରୁଛନ୍ତି। ଏହି ମୂଲ୍ୟବୋଧ ସହିତ ଏକମତ ହୋଇ ନ ଥିଲେ ଆପଣମାନେ ଏଠାରେ ନ ଥାନ୍ତେ। ଆପଣମାନେ ଯଦି କ୍ରୋଧ, ବିଦ୍ବେଷ ଓ ଅହଙ୍କାରରେ ବିଶ୍ବାସ କରୁଥାଆନ୍ତେ, ତେବେ ‘ବିଜେପି’ର କୌଣସି ସଭାରେ ବସି ଥାଆନ୍ତେ ଏବଂ ମୁଁ ‘ମନ୍‌ କୀ ବାତ୍‌’ କହୁଥାଆନ୍ତି।ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ଆମେରିକାର ୩ଟି ସହର ଗସ୍ତରେ ଥିବା ରାହୁଲ୍‌ ଗାନ୍ଧୀ ଭାରତୀୟ ବଂଶୋଦ୍ଭବ, ସାମାଜିକକର୍ମୀ ଓ ଶିକ୍ଷାବିତ୍‌ମାନଙ୍କ ସହିତ ଭାବବିନିମୟ କରୁଛନ୍ତି।

Comments are closed, but trackbacks and pingbacks are open.