ବିବିସିକୁ ସମନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

27

ବିବାଦୀୟ ଡକ୍ୟୁମେଣ୍ଟାରି ମାମଲାରେ ଦିଲ୍ଲୀ ହାଇକୋର୍ଟ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ ସମନ ଜାରି କରିଛନ୍ତି । ଏହି ଡକ୍ୟୁମେଣ୍ଟାରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିଥିବା ଅଭିଯୋଗ କରି ଗୁଜରାଟର ଏକ ଏନଜିଓ ଏକ ମାନହାନୀ ମାମଲା ରୁଜ୍ଜୁ କରିଥିଲା । ଏହାର ବିଚାର କରି କୋର୍ଟ ବିବିସିକୁ ସମନ ଜାରି କରିଛନ୍ତି ।

ଉକ୍ତ ଏନଜିଓ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ବିବିସି ବିରୋଧରେ ଯୁକ୍ତି ବାଢ଼ିଥିଲେ । ବିବିସି ବିରୋଧରେ ଉକ୍ତ ଏନଜିଓ ୧୦ ହଜାର କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛି । ହାଇକୋର୍ଟରେ ଦାୟର ହୋଇଥିବା ମାମଲାରେ କୁହାଯାଇଛି ଯେ ଏହି ଡକ୍ୟୁମେଣ୍ଟାରୀ କେବଳ ପ୍ରଧାନମନ୍ତ୍ରୀ ନୁହେଁ ବରଂ ନ୍ୟାୟପାଳିକା ଏବଂ ସମଗ୍ର ଦେଶର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି । ହରିଶ ସାଲଭେ ବିବିସିକୁ ଚେତାବନୀ ଦେଇଛନ୍ତି ଯେ ପୂରା ଘଟଣା ପାଇଁ କ୍ଷମା ମାଗିବା ତାଙ୍କ ପାଇଁ ଭଲ ହେବ ।

ବିବିସିର ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ । ଏଥିରେ ଦଙ୍ଗା ପାଇଁ ମୋଦୀଙ୍କୁ ଦାୟୀ କରାଯାଇଛି । ଭାରତରେ ଏହି ଡକ୍ୟୁମେଣ୍ଟାରିକୁ ନିଷିଦ୍ଧ କରାଯାଇଥିଲେ ବି କେତେକ ରାଜ୍ୟ ଓ ବିଶ୍ବବିଦ୍ୟାଳୟରେ ଏହାକୁ ବେଆଇନ ଭାବେ ପ୍ରଦର୍ଶନ କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Comments are closed, but trackbacks and pingbacks are open.