ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ୱ

26

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ୱ । ପ୍ରମିଳାଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଗତକାଲି ଇସ୍ତଫା ଦେଇଥିଲେ ଉଭୟ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରୀକାନ୍ତ ସାହୁ । ୨ ମନ୍ତ୍ରୀ ଇସ୍ତଫା ଦେଲା ପରେ ଖାଲି ପଡ଼ିଥିଲା ୨ ବିଭାଗ । ତେବେ ଉଭୟେ କାହିଁକି ଇସ୍ତଫା ଦେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିନି । ସେହିପରି ଦୁଇ ମନ୍ତ୍ରୀଙ୍କ ପୂର୍ବରୁ ବିକ୍ରମ ଆରୁଖ ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି ।

ତେବେ ଗତକାଲି ରାତିରେ ହଠାତ୍ ବାଚସ୍ପତି ଓ ଦୁଇ ଟାଣୁଆ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇ ଯାଇଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଖୁବଶୀଘ୍ର ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଇସ୍ତଫା ଦେଇଥିବା ଉଭୟ ମନ୍ତ୍ରୀ ନବୀନ ସରକାରରେ ବିବାଦୀୟ ଥିଲେ । ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସମୀର ଦାସଙ୍କ ଉପରଙ୍କୁ ଆଙ୍ଗୁଳି ଉଠିଥିଲା । ସେହିଭଳି ନିକଟରେ ପୁରୀ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପରାଜୟ ପରେ ସମୀରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

Comments are closed, but trackbacks and pingbacks are open.