ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ: କିଏ ହେବେ ନୂଆ ମନ୍ତ୍ରୀ ?

39

ଖୁବଶୀଘ୍ର ହୋଇପାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ । କାରଣ ଗତକାଲି ରାତିରେ ହଠାତ୍ ବାଚସ୍ପତି ଓ ଦୁଇ ଟାଣୁଆ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି । ଗତକାଲି(ଶୁକ୍ରାବର) ନବୀନ ସରକାରଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ବାଚସ୍ପତି ବିକ୍ରମ ଆରଖୁ ଓ ତାଙ୍କ ପରେ ଇସ୍ତଫା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । କାହିଁକି ଏହି ଦୁଇ ମନ୍ତ୍ରୀ ଇସ୍ତଫା ଦେଲେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସେପଟେ ବାଚସ୍ପତି ବିକ୍ରମ ଆରୁଖ ଏବଂ ୨ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦେବା ପରେ କାହାକୁ ମିଳିବ ମନ୍ତ୍ରୀ ପଦ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଏହି ଚର୍ଚ୍ଚାର ଫୋକସରେ ରହିଛି ଗଞ୍ଜାମ ଜିଲ୍ଲା । ଆକଳନ ଅନୁସାରେ- ଗଞ୍ଜାମ ଜିଲ୍ଲାରୁ ଏକାଧିକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ । ଚର୍ଚ୍ଚା ଅନୁସାରେ ଗଂଜାମ ଜିଲ୍ଳାର ୩ ବିଧାୟକଙ୍କ ନାଁ ରହିଛି । ବିକ୍ରମ ଆରୁଖ, ଲତିକା ପ୍ରଧାନ ଏବଂ ବିକ୍ରମ ପଣ୍ଡା । ସେହିପରି ପୁରୀ ଜିଲ୍ଲାରୁ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ନାଁକୁ ନେଇ ବି ପାୱାର କରିଡରେ ଚର୍ଚ୍ଚା ହେଉଛି । ଏସବୁ ବାହାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

ସେପଟେ ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ନବୀନଙ୍କ ଏକ ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ସୂଚନାଥାଉ କି, ଗତବର୍ଷ ଜୁନ ମାସ ଶେଷ ଥର ପାଇଁ ନବୀନ ତାଙ୍କର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ତେବେ ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ସୁପ୍ରିମୋ ଦଳୀୟ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛନ୍ତି । ତେବେ ନବୀନ ଏବେ ଦିଲ୍ଲୀ ଗସ୍ତରେ ଥିବାବେଳେ ରାଜ୍ୟ ରାଜନୀତି ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି ।

Comments are closed, but trackbacks and pingbacks are open.