ବ୍ୟାନ୍‌ କରିଥିଲେ ମମତା, ଟ୍ୟାକ୍ସ ଫ୍ରି କଲେ ଯୋଗୀ

31

ବିବାଦୀୟ ଫିଲ୍ମ ‘The Kerala Story’କୁ ନେଇ ଜୋର ଧରିଲା ରାଜନୀତି। କିଏ ଏହାକୁ ପ୍ରଶଂସାରେ ପୋତି ପକାଉଛି ତ କିଏ ଏହାକୁ ବ୍ୟାନ୍‌ କରି ଦେଉଛି। ଏହି ଫିଲ୍ମକୁ ନେଇ ସମଗ୍ର ଦେଶରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା ।

ଗତକାଲିପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଏଥିସହ ନିଜେ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିବେ ବୋଲି ବି କହିଛନ୍ତି।

ପୂର୍ବରୁ ମଧ୍ୟପ୍ରଦେଶ ସରକାର ‘The Kerala Story’କୁ ଟ୍ୟାକ୍ସ ଫ୍ରି କରିଥିବା ବେଳେ ଏବେ ୟୁପି ସରକାର ବି ଏହି ବର୍ଗରେ ସାମିଲ ହୋଇଛନ୍ତି। ଆସନ୍ତା ୧୨ ତାରିଖରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଭବନରେ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଫିଲ୍ମ ‍ଦେଖିବେ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଗତ ୬ ତାରିଖରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଫିଲ୍ମଟିର ପ୍ରଶଂସା କରି ଏହା ଆତଙ୍କବାଦର ଭୟାବହ ସତ ଉଜାଗର କରୁଥିବା କହିଥିଲେ। ଏଥିସହ ଏହାକୁ ସେ ବି ଟିକସମୁକ୍ତ କରି ଦେଇଥିଲେ।

ଏବେ ଏହାକୁ ବିହାରରେ ବି ଟ୍ୟାକ୍ସ ଫ୍ରି କରିବାକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଦାବି କରିଛନ୍ତି। ସେହିପରି ବିଜେପି ଶାସିତ ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି ଉଠୁଛି।

କିନ୍ତୁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ଫିଲ୍ମକୁ ନିଜ ରାଜ୍ୟରେ ବ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସେହିପରି ତାମିଲନାଡ଼ୁର ଥିଏଟର୍ସରେ ଏହି ଫିଲ୍ମ ନ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ମଲ୍ଟିପ୍ଲେକ୍ସ ଆସୋସିଏଶନ ପକ୍ଷରୁ କୁହାଯାଇଛି।

କେରଳ ସରକାର ମଧ୍ୟ ଫିଲ୍ମଟିକୁ ବିରୋଧ କରୁଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଏହି ଫିଲ୍ମ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ବେଳେ ସର୍ବୋଚ୍ଚ ନ୍ୟାୟଳୟ ଏହାକୁ ପ୍ରତ୍ୟାଖାନ କରି ଦେଇଛନ୍ତି। ସବୁ ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ନ ହୋଇ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅଦା ଶର୍ମା ଅଭିନୀତ ‘The Kerala Story’ରେ କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀମାନଙ୍କର ଧର୍ମପରିବର୍ତ୍ତନ କରି ସେମାନଙ୍କୁ ମୁସଲମାନ କରାଯାଉଛି ଓ ପରେ ସେମାନଙ୍କୁ ଆଫଗାନିସ୍ତାନ, ୟେମେନ ଓ ସିରିୟା ଭଳି ଦେଶକୁ ପଠାଯାଇ ଇସଲାମ ପାଇଁ ଲଢ଼ିବାକୁ ଆତଙ୍କବାଦୀ ସଂଗଠନରେ ସେମାନଙ୍କୁ ସାମିଲ କରାଯାଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇ ଦିଆଯାଉଛି ବୋଲି ଦେଖାଯାଇଛି।

କେରଳର ଶାସକ ସିପିଆଇ (ଏମ୍) ଓ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୩୨ ହଜାର ମହିଳାଙ୍କ ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଇ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମୁତୟନ କରାଯାଇଛି ବୋଲି ‘The Kerala Story’ରେ ଯେଉଁ ଦାବି କରାଯାଇଛି, ତାହା ପୂରା ମିଛ।

Comments are closed, but trackbacks and pingbacks are open.