ବଢ଼ିଲା ବାତ୍ୟା ସମ୍ଭାବନା, ୭ରେ ଲଘୁଚାପ !

23

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା ! ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୭ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ୮ରେ ନେଇପାରେ ଅବପାତର ରୂପ । କ୍ରମେ ଏହା ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୯ତାରିଖରେ ଏହା କେନ୍ଦ୍ରୀୟ ବାତ୍ୟାର ରୂପ ନେଇପାରେ । କ୍ରମଶଃ ଏହା ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ଯାଇପାରେ । ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ, ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା ମଡେଲଗୁଡ଼ିକରୁ ଦେଖିବାକୁ ମିଳୁଛି। କେତେ ଘନୀଭୂତ ହେବ, ସେନେଇ ଏବେ କିଛି କହି ହେବନାହିଁ। ୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଅବପାତ ଓ ଗଭୀର ଅବପାତ ରୂପ ନେଇପାରେ। ବାତ୍ୟା ହେବ କି ନାହିଁ, ବାତ୍ୟାର ଗତି କୁଆଡ଼େ ରହିବ, ଏବେଠାରୁ ଆକଳନ କରିବା ଠିକ୍‌ ହେବନି। ସିଷ୍ଟମ ଡିପ୍‌ ଡିପ୍ରେସନ୍‌ ହେବା ପରେ ସ୍ପଷ୍ଟ ଜଣାପଡ଼ିବ। ୮/୯ ତାରିଖ ପୂର୍ବରୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ କିଛି ବି କହି ହେବନି। ଆସନ୍ତା ୭ ତାରିଖଠାରୁ ଓଡ଼ିଶାର ତାପମାତ୍ରା ବଢ଼ିବ। କାଳବୈଶାଖୀ ସମ୍ଭାବନା କମ୍‌ ଓ ଆକାଶ ମେଘମୁକ୍ତ ରହିବ। ତେଣୁ ଆସନ୍ତା ୫ ତାରିଖ ଯାଏ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଭିତରେ ରହିବ। ୭ ତାରିଖ ପରେ ତାପମାତ୍ରା ୪୨ ଡିଗ୍ରି ଡେଇଁବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ମେ’ ୫, ୬ ଓ ୭ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଅଧିକ ରହିଥିବା ନେଇ ଆକଳନ କରାଯାଇଛି। ୪ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comments are closed, but trackbacks and pingbacks are open.