ରାଜଭବନରେ ‘ମନ୍‌ କି ବାତ୍‌’ର ୧୦୦ତମ ଅଧ୍ୟାୟ,ଦେଶବାସୀଙ୍କ ପ୍ରତି ସମର୍ପିତ ଏକ ଅନନ୍ୟ କାର୍ଯ୍ୟକ୍ରମ: ରାଜ୍ୟପାଳ

20

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହା ଦେଶ ଓ ଦେଶବାସୀଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ । ଶହେତମ ଅଧ୍ୟାୟରେ ପହଞ୍ଚିଥିବା ‘ମନ୍‌ କି ବାତ୍‌’ ଜରିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରର ପ୍ରଧାନ ସେବକ ଭାବେ ନିଜର ବିଚାର, ଚିନ୍ତାଧାରା, ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ରାଜଭବନର ନିୟୁ ଅଭିଷେକ ହଲ୍‌ଠାରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ଶହେତମ ଅଧ୍ୟାୟ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି I

ଜନଜାତି ସଂପ୍ରଦାୟର ବିକାଶ ପାଇଁ ପ୍ରଧାନ ମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ଓ ଯୋଜନା ଆରମ୍ଭ କରିଛନ୍ତି I ବିର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବା ପ୍ରଧାନ ମନ୍ତ୍ରୀଙ୍କ ପ୍ରତିବଦ୍ଧତା ର ପରିଚୟ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ । ଜନ ଜାତି ସଂପ୍ରଦାୟ ମଧ୍ୟରୁ ଅନେକଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାରରେ ଅଳଙ୍କୃତ କରାଯିବା ଫଳରେ ଜନଜାତି ସମୁଦାୟଙ୍କ ଗୌରବ ବୃଦ୍ଧି
ହୋଇଛି ଏବଂ ଜନଜାତିଙ୍କ ସାମଗି୍ରକ ବିକାଶ ସରକାରଙ୍କ ଲକ୍ଷ୍ୟ ଓ ପ୍ରୟାସ ବୋଲି ରାଜ୍ୟପାଳ କହିଥିଲେ ।
ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ ଜରିଆରେ ବସୁଧୈବ କୁଟୁମ୍ବକମ୍‌ ଆଧାରରେ ଭାରତୀୟ ଭାବେ ଆମେ ସମସ୍ତଙ୍କୁ ଭଲ ପାଇବା, ଆମେ ଗୋଟିଏ ପରିବାର ଓ ଭାରତୀୟ ସଂସ୍କୃତି ଓ ପରମ୍ପରାର ମହକରେ ସମସ୍ତଙ୍କ ହୃଦୟକୁ ଜିତିବା ବୋଲି ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ରାଜ୍ୟପାଳ କହିଥିଲେ । ଜନଭାଗୀଦାରି ମଧ୍ୟରେ ନୂତନ ଭାରତ ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ସମସ୍ତେ ଅନୁପାଳନ କରିବାକୁ ରାଜ୍ୟପାଳ କହିଥିଲେ ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରାରମ୍ଭରେ ପିଆଇବି ଓ ସିବିସି, ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାସ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ଉପମହାନିର୍ଦ୍ଦେଶକ କାର୍ଯ୍ୟକ୍ରମ) ରିଜୱାନ ଅଖତାର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ରାଜ୍ୟର କୁନି ଦେହୁରୀ, ଅମରେଶ ସାମନ୍ତ, ରାହୁଲ ମହାରଣା ଓ ବିଜୟ
କୁମାର କବି ନିଜର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଏହି ଉପଲକ୍ଷେ
ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ରାଜ୍ୟପାଳ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମ ପରେ ନିମନ୍ତ୍ରିତ ଅତିଥିମାନଙ୍କ ସହ ଭାବବିନିମୟ କରିଥିଲେ ।

Comments are closed, but trackbacks and pingbacks are open.