ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବା ନେଇ ବ୍ୟକ୍ତିଗତ ସଚିବାଳୟରୁ ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ସେ ମେ’ ୮ତାରିଖରେ ଆସିବା କାର୍ଯ୍ୟକ୍ରମ ଥିବା ବେଳେ ତାହା ପରିବର୍ତ୍ତନ ହୋଇଛି । ମଇ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାର ଜଣାଯାଇଛି । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦୀର୍ଘ ୧୧ମାସ ପରେ ପ୍ରଥମ ଥର ନିଜ ଜନ୍ମ ମାଟିକୁ ଆସିବାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜୋରଦାର ଚାଲିଛି ।
ରାଇରଙ୍ଗପୁର ସ୍ଥିତ ବାସଭବନ, ଶାଶୁଘର ଗ୍ରାମ ପାହାଡପୁର, ଶିମିଳିପାଳ ଅଭୟାରଣ୍ୟ ଓ ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବାଦାମପାହାଡ, ଦାଣ୍ଡବୋଷ, ଯଶିପୁର ଓ ବାରିପଦାରେ ୪ଟି ହେଲିପ୍ୟାଡ୍ କରାଯିବ।ତାଙ୍କ ସଚିବାଳୟର ସୂଚନା ମୁତାବକ, ୪ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ଏୟାରପୋର୍ଟରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଏୟାରପୋର୍ଟରେ ଅବତରଣ କରି ସେଠାରୁ ଏକ ସ୍ବତନ୍ତ୍ର ଆଇଏଏଫ ଏମଆଇ-୧୭ ହେଲିକେପ୍ଟରରେ ବାହାରି ୧୦ଟା ୧୫ରେ ବାଦାମପାହାଡ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସେ ସ୍ୱତନ୍ତ୍ର କାର ଯୋଗେ ଶାଶୁଘର ପାହାଡପୁରକୁ ଯାଇ ପହଞ୍ଚିବା ପରେ ସ୍ୱାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋଶାଣି ଯିବେ ।
ପରେ ନାବାର୍ଡ ଦ୍ୱାରା ନିର୍ମିାଣ କରାଯିବାକୁ ଥିବା ଏସ୍ଏଲ୍ଏସ ଟ୍ରଷ୍ଟ ସ୍କୁଲରେ ଏକ କମ୍ୟୁନିଟି କେନ୍ଦ୍ର ଓ ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ଏକ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ । ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହିତ ସମୟ ବିତାଇବା ପରେ ଦିନ ୧୨ଟା ୩୦ମିନିଟରେ ବାହାରି ହାଟବାଦଡା ସ୍ଥିତ ସାତପଉଟିଆରେ ଥିବା ବ୍ରହ୍ମକୁମାରୀ କେନ୍ଦ୍ରକୁ ଯାଇ ‘ନିଶାମୁକ୍ତ ଓଡିଶା’ ପ୍ରଚାର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ।
Comments are closed, but trackbacks and pingbacks are open.