ନିୟମିତ ହେବେ ୧୮ ହଜାର ଚୁକ୍ତି ଭିତ୍ତିକ ଶିକ୍ଷକ

31

ଭୁବନେଶ୍ୱର : ହଜାର ହଜାର ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ପାଇଁ ଖୁସି ଖବର । ଚୁକ୍ତିଭିତ୍ତିକ ଓ ଇନିସିଆଲ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ଚାକିରି ନିୟମିତ ହେବ । ଆଜି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଇ ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ୧୮ ହଜାରରୁ ଅଧିକ ଶିକ୍ଷକ ଉପକୃତ ହୋଇପାରିବେ । ୧୩ ଦିନ ଧରି ଏହି ଶିକ୍ଷକମାନଙ୍କୁ ନିୟମିତ କରିବା ଦାବି ନେଇ ଧାରଣାରେ ବସିବା ପରେ ଆଜି ସେମାନଙ୍କ ଦାବି ଉପରେ ମୋହର ବାଜିଛି । ଏଣିକି ଏହି ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ଭାବରେ ଗଣନା କରାଯିବ ।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ, ସାଧାରଣ ପ୍ରଶାସନ ବିଭାଗର ଓଡ଼ିଶା ଗ୍ରୁପ-ବି ପଦବୀ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ,୨୦୧୩ ଅନ୍ତର୍ଗତ ଯେଉଁ ଶିକ୍ଷକମାନେ ଇନିସିଆଲ ଆପଏଣ୍ଟମେଂଟ ପାଇଥିଲେ ସେମାନଙ୍କ ଚାକିରି ଓଡ଼ିଶା ଗ୍ରୁପ-ବି,ସି,ଡି ପଦବୀ(ଉଚ୍ଛେଦ ଓ ସ୍ୱତନ୍ତ୍ର ପ୍ରାବଧାନ) ରୁଲସ-୨୦୨୨ ଆଧାରରେ ନିୟମିତ ହେବ । ଶିକ୍ଷକମାନଙ୍କ ନିଯୁକ୍ତି ବର୍ଷ ଓ ମେରିଟ୍ ଲିଷ୍ଟ ଅନୁସାରେ ସେମାନଙ୍କର ବରିଷ୍ଠତା ବିବେଚନା କରାଯିବ । ସେହିପରି ଯେଉଁ ଶିକ୍ଷକମାନେ ଓଡ଼ିଶା ଗ୍ରୁପ-ବି ପଦବୀ(ଚୁକ୍ତିିଭିତ୍ତିକ ନିଯୁକ୍ତି) ରୁଲସ-୨୦୧୩ ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ ତଥା ସେମାନେ ଏହି ରୁଲସ୍ ବିଜ୍ଞପ୍ତି ଜାରି ହେବା ପୂର୍ବରୁ ୬ବର୍ଷ ଚାକିରି ପୂରଣ କରିନଥିଲେ ସେମାନଙ୍କ ଚାକିରିର ନିୟମିତ ଅବଧି ଗଣଶିକ୍ଷା ବିଭାଗ ୨୦୦୮ ଓ ୨୦୧୧ ମସିହାର ବିଜ୍ଞପ୍ତି ଆଧାରରେ ବିବେଚନା କରାଯିବ । ଓଆରଭି ନିୟମକୁ ପାଳନ କରି ଏହି ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ନିଯୁକ୍ତିକୁ ନିୟମିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତେବେ ଏନେଇ ସ୍ୱତନ୍ତ୍ର ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ଗାଇଡଲାଇନ୍ ଓ ଏସଓପି ଜାରି ହୋଇଛି

Comments are closed, but trackbacks and pingbacks are open.