ଆକାଉଣ୍ଟରେ ଟଙ୍କା ନଥିଲେ ମଧ୍ୟ କରିପାରିବେ ୟୁପିଆଇ ପେମେଣ୍ଟ

38

ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଭଳି ବିକଳ୍ପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ଘୋଷଣା କରିଛନ୍ତି। ଦାସ କହିଛନ୍ତି ଯେ ବର୍ତ୍ତମାନ ଗ୍ରାହକଙ୍କୁ ୟୁପିଆଇରେ କ୍ରେଡିଟ କାର୍ଡ ଭଳି ସୁବିଧା ମିଳିବ । ଗ୍ରାହକଙ୍କୁ ବ୍ୟାଙ୍କରୁ ନିର୍ଦ୍ଦିଷ୍ଟ ପରିମାଣର ପ୍ରାକ୍ ଅନୁମୋଦିତ ଅର୍ଥ ପ୍ରଦାନ କରାଯିବ, ଯାହା ଫଳରେ ଆକାଉଣ୍ଟରେ ଟଙ୍କା ନଥିଲେ ମଧ୍ୟ ୟୁଜରମାନେ ୟୁପିଆଇ ନେଣଦେଣ କରିପାରିବେ । ଆରବିଆଇ ଗଭର୍ଣ୍ଣର ଦାସଙ୍କ ସୂଚନା ଅନୁଯାୟୀ, ଦେଶରେ ୟୁପିଇ ମାଧ୍ୟମରେ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଲୋକମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିବା ଏବଂ ଗ୍ରାହକମାନଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି | ଯେଉଁମାନେ ପେଟିଏମ୍, ଫୋନପେ କିମ୍ବା ଗୁଗଲ୍ ପେ ଭଳି ଆପ୍ ଜରିଆରେ ୟୁପିଆଇ ନେଣଦେଣ କରନ୍ତି, ସେମାନଙ୍କୁ ବର୍ତ୍ତମାନ ଏକ ପ୍ରାକ୍-ଅନୁମୋଦିତ କ୍ରେଡିଟ୍ ଲାଇନ୍ ଦିଆଯିବ | ଏହି ରାଶି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ଦ୍ୱାରା ସ୍ଥିର ହେବ। ସେମାନଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ ମଧ୍ୟ ଗ୍ରାହକ ଏହି ରାଶି ବ୍ୟବହାର କରିବାକୁ ସମର୍ଥ ହେବେ |

କ୍ରେଡିଟ୍ ଲାଇନ୍ କ’ଣ ଓ ଏହା କିପରି କାମ କରେ?
କ୍ରେଡିଟ୍ ଲାଇନ୍ ହେଉଛି ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି, ଯାହାକୁ ଜଣେ ଗ୍ରାହକ ଖର୍ଚ୍ଚ କରିପାରିବେ | ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥା ଗୁଡ଼ିକ ୟୁଜରଙ୍କ ଆୟ ଏବଂ ଋଣ ପରିଶୋଧ କରିବାର କ୍ଷମତା ଆଧାରରେ ଏହି କ୍ରେଡିଟ୍ ଲାଇନ୍ ପ୍ରସ୍ତୁତ କରିବେ | ୟୁପିଆଇରେ ଓଭରଡ୍ରାଫ୍ଟ ପରି ସୁବିଧା ମଧ୍ୟ ଦିଆଯିବ, ଯଦ୍ୱାରା ଜଣେ ଗ୍ରାହକ ଏହି ପରିମାଣକୁ ନିଜ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ କରିବେ ଏବଂ ତା’ପରେ ଏହି ରାଶି ସୁଧ ସହିତ ପରିଶୋଧ କରିବେ | ତେବେ ଏହି ସୁବିଧା ବଦଳରେ ବ୍ୟାଙ୍କଗୁଡ଼ିକ ଆପଣଙ୍କଠାରୁ କିଛି ସୁଧ ଆଦାୟ କରିବେ। ପ୍ରତ୍ୟେକ ଗ୍ରାହକଙ୍କ ରିସ୍କ ଫ୍ୟାକ୍ଟରକୁ ଆକଳନ କରିବା ପରେ ହିଁ ବ୍ୟାଙ୍କଗୁଡିକ ପୂର୍ବ-ଅନୁମୋଦିତ କ୍ରେଡିଟ୍ ଲାଇନ୍ ପ୍ରସ୍ତୁତ କରିବେ |

ଆରବିଆଇ ଗଭର୍ଣ୍ଣର ଦାସଙ୍କ କହିବା ଅନୁଯାୟୀ ଆଜି ଭାରତରେ ସବୁଠୁ ଅଧିକ ପେମେଣ୍ଟ ୟୁପିଆଇ ମାଧ୍ୟମରେ ହେଉଛି । ଏହା ସମ୍ପୂର୍ଣ୍ଣ ରୂପେ ଖୁଚୁରା କାରବାରର ତରିକାକୁ ବଦଳାଇ ଦେଇଛି | ବ୍ୟାଙ୍କଗୁଡିକ ମଧ୍ୟ ନିଜସ୍ୱ ଉତ୍ପାଦ ଏବଂ ସୁବିଧା ଗୁଡ଼ିକୁ ବିକଶିତ କରିବା ପାଇଁ ୟୁପିଆଇର ଲାଭ ଉଠାଇଛନ୍ତି | ଆରବିଆଇ ଏମପିସି ବୈଠକରେ ୟୁପିଆଇ ସହିତ କ୍ରେଡିଟ କାର୍ଡ ଲିଙ୍କ୍ କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ବର୍ତ୍ତମାନ, ଗ୍ରାହକମାନେ ରୂପେ କ୍ରେଡିଟ୍ କାର୍ଡକୁ ୟୁପିଆଇ ସହିତ ଲିଙ୍କ୍ କରିବାକୁ ସମର୍ଥ ହେବେ |

Comments are closed, but trackbacks and pingbacks are open.